fbpx

ଅଶ୍ଲୀଳ ଭିଡିଓ ମାମଲା: ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ୱଲ ରେଭନ୍ନା ଜୁନ୍ ୬ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ

ନୂଆଦିଲ୍ଲୀ: କର୍ଣ୍ଣାଟକ ଅଶ୍ଲୀଳ ଭିଡିଓ ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଜେଡିଏସରୁ ନିଲମ୍ବିତ ହୋଇଥିବା ସାଂସଦ ତଥା ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ୱଲ ରେଭନ୍ନା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ । ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ପ୍ରଜ୍ୱଲ ଗତକାଲି ରାତିରେ ଜର୍ମାନୀରୁ ବେଙ୍ଗାଲୁରୁ ଫେରିଥିଲେ । ଏହି ମାମଲାର ଯାଞ୍ଚ କରୁଥିବା ଏସଆଇଟି ତାଙ୍କୁ ରାତିରେ ଗିରଫ କରିଥିଲା । ଗିରଫ କରାଯିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ତେବେ ସେ ପୋଲିସ ହେପାଜତରେ ୬ ଦିନ ପାଇଁ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଜ୍ୱଲଙ୍କ ଭାରତ ଆଗମନ ବାବଦରେ ଇଣ୍ଟରପୋଲ ଠାରୁ କର୍ଣ୍ଣାଟକ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ସୂଚନା ପାଇଥିଲା । ଏହାପରେ ଏସଆଇଟି, ବେଙ୍ଗାଲୁରୁ ପୋଲିସ ଓ ଇମିଗ୍ରେସନ ଅଧିକାରୀମାନେ ଆଜି ସକାଳେ ଏୟାରପୋର୍ଟରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ । କୋର୍ଟ ପ୍ରଜ୍ୱଲଙ୍କୁ ୬ ଦିନ ପାଇଁ ପୋଲିସ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏହି ଅବସରରେ ପୋଲିସ ପ୍ରଜ୍ୱଲଙ୍କୁ ଭାଇରାଲ ଭିଡିଓ ବାବଦରେ ପଚରାଉଚରା କରିବ । କିଛିଦିନ ତଳେ ଭାରତ ଫେରିବା ନେଇ ଏକ ଭିଡିଓ ଜାରି କରି ପ୍ରଜ୍ୱଲ ସୂଚନା ଦେଇଥିଲେ ।

ଅଶ୍ଲୀଳ ଭିଡିଓ ମାମଲା ପ୍ରଘଟ ହେବା ପରେ ପ୍ରଜ୍ୱଲ ଦେଶ ଛାଡ଼ି ପଳାୟନ କରିଥିଲେ । ଆଜି ସେ ଭାରତ ଫେରିବା ପରେ ତାଙ୍କୁ ଗିରଫ କରାଯିବା ପରେ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା । ତା’ପରେ ତାଙ୍କୁ ବେଙ୍ଗାଲୁରୁର ୪୨ତମ ଏସିଏମଏମ ଅଦାଲତରେ ହାଜର କରାଯାଇଥିଲା । ପ୍ରଜ୍ୱଲଙ୍କୁ ହେପାଜତକୁ ନେବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା । ଅଦାଲତ ଏସଆଇଟିର ଯାଚିକାକୁ ସ୍ୱୀକାର କରିବା ସହ ପ୍ରଜ୍ୱଲଙ୍କୁ ୬ ଦିନ ପାଇଁ ଏସଆଇଟି ହେପାଜତରେ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.