fbpx

ଚିନ୍ତା ବଢ଼ାଉଛି କାଶୀପୁର ହଇଜା: ଚାଲିଗଲା ଆଉ ୨ ଜୀବନ

ରାୟଗଡ଼ା(ଓଡ଼ିଶା ଭାସ୍କର): କାଶୀପୁର ହଇଜାକୁ ନେଇ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ଏହି ହଇଜାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଆଜି ସୂଚନା ମିଳିଛି । ଆଉ ୨ ଜଣଙ୍କ ମୃତ୍ୟୁ ପରେ ହଇଜା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ହାଡିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଟିକିରି ପଞ୍ଚାୟତ ଜାମୁଗୁଡ଼ାରେ ଆଉ ଜଣେ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ତେବେ ହଇଜାରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନର ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି । ଏହା ସହ କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ । କାଶୀପୁରରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୩୮ ନମୁନାରୁ ଗୋଟିଏରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୨୪ଟି ଇ-କୋଲାଇ, ୮ଟି ଭିବ୍ରିଓ ନମୁନା ଚିହ୍ନଟ ହୋଇଛି । ବାହ୍ୟ ମଳମୂତ୍ର ଯୋଗୁ ରୋଗ ବ୍ୟାପୁଥିବା ସ୍ପଷ୍ଟ ହୋଇଛି ।

ତେବେ କାଶୀପୁରରେ ଗୋଟିଏ ପରେ ଗୋଟିଏ ଗାଁକୁ ମାଡି ଚାଲିଥିବାବେଳେ କୋରାପୁଟର ଦଶମନ୍ତପୁରରୁ ଚିହ୍ନଟ ହୋଇଛନ୍ତି ହଇଜା ଆକ୍ରାନ୍ତ, ଯାହାକୁ ରୋକିବା ପ୍ରଶାସନ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କାଶୀପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ । କାଶୀପୁର ବ୍ଲକର ୨୦ରୁ ଉର୍ଦ୍ଧ୍ୱ ଗାଁରେ ହଇଜା ବ୍ୟାପିବାରେ ଲାଗିଛି । ସେପଟେ ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ହଇଜା । ସଚେତନତା ଅଭାବ ଯୋଗୁଁ ସ୍ଥିତି ନିୟନ୍ତ୍ରଣକୁ ଆସୁନି । ଏଥିରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.