ବନ୍ଧାହେଲେ ଲେଡ଼ି ବ୍ଲାକମେଲର, ନାଗ ପରି ବଡ଼ ବ୍ୟବସାୟୀଙ୍କୁ ମାରୁଥିଲେ ଚୋଟ!

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁର ପରିଚୟ ଦେଇ କରୁଥିଲେ ବ୍ଲାକମେଲ। ଗିରଫ ଅନିଲ, ହଂସିତା ବାହା ନ ହୋଇ ଲିଭ୍-ଇନରେ ରହୁଥିଲେ।

ଭୁବନେଶ୍ୱର: ରାଜଧାନୀରେ ଆଉଜଣେ ଲେଡି ବ୍ଲାକମେଲରଙ୍କୁ ବାନ୍ଧିଛି ପୋଲିସ । ଠକେଇ ମାମଲାରେ କମିଶନରେଟ ପୋଲିସ ଏହି ହାଇପ୍ରୋଫାଇଲ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଡ଼ବଡ଼ିଆ ନେତା ମନ୍ତ୍ରୀଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲ୍ଡରଙ୍କୁ ଧମକ ଦେଇ ମୋଟାଅଙ୍କର ଟଙ୍କା ଆଦାୟ କରୁଥିଲେ ଏହି ଲେଡି ବ୍ଲାକମେଲର ।

ଏହି ହାଇପ୍ରୋଫାଇଲ୍ ଲେଡି ବ୍ଲାକମେଲର ହେଲେ ହଂସିତା ଅଭିଲିପ୍ସା । ହଂସିତାଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟଜଣେ ବ୍ୟକ୍ତି ଅନିଲ ମହାନ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ହଂସିତା ଏବଂ ଅନିଲ ଉଭୟଙ୍କୁ ଇନଫୋସିଟି ଥାନା ପୋଲିସ କୋର୍ଟ ଚାଲାଣ କରିଛି । ଅନିଲ, ହଂସିତାଙ୍କ ସ୍ୱାମୀ ବୋଲି ଦର୍ଶାଇଛି ପୋଲିସ ।

ଦୁହେଁ ବାହା ହୋଇ ନ ଥିବାବେଳେ ଲିଭ୍-ଇନରେ ରହୁଥିବା କୁହାଯାଉଛି ।

PMOରେ ଲିଙ୍କ୍ ଥିବା କହୁଥିଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁର ପରିଚୟ ଦେଉଥିଲେ ଏହି ଲେଡି ବ୍ଲାକମେଲର ଓ ତାଙ୍କ ସହଯୋଗୀ । ଏନେଇ ପ୍ରଥମେ କମିଶନରେଟ୍ ପୋଲିସ ନିକଟକୁ ଅଭିଯୋଗ ଆସିଥିଲା ।

ଯାହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଦୁଇ ବ୍ଲାକମେଲରଙ୍କୁ ଧରିବାରେ ସଫଳ ହୋଇଥିଲା ।

ହଂସିତାଙ୍କ ପୂର୍ବରୁ ଭୁବନେଶ୍ୱରରେ ଅର୍ଚ୍ଚନା ନାଗ୍ ହନିଟ୍ରାପ୍ ଏବଂ ଲେଡି ବ୍ଲାକମେଲରଙ୍କୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସେ ସମୟରେ ଶାସନ ଗାଦିରେ ଥିବା ବିଜେଡି ଦଳରର ୫୦ରୁ ଅଧିକ ନେତା ଓ ଅନ୍ୟ ରାଜନୈତିକ ବ୍ୟକ୍ତି ବିଶେଷ ଅର୍ଚ୍ଚନାଙ୍କ ନାଗପାଶରେ ପଡ଼ିଥିବା କଥା ସାମ୍ନାକୁ ଆସିଥିଲା ।

ଅର୍ଚ୍ଚନାଙ୍କ ପରେ ଏବେ ହଂସିତା ଧରାପଡ଼ିବା ପରେ ଏହି ଲେଡ଼ି ବ୍ଲାକମେଲରଙ୍କ ଚେର କେତେଦୂର ପର୍ଯ୍ୟନ୍ତ ଲମ୍ବିଛି ତାହା ଆଗାମୀ ଦିନରେ ଲୋକଲୋଚନକୁ ଆସିବ ।