ଇମ୍ରାନଙ୍କ ପାଇଁ ମେଗା ରାଲି କରିବେ ୨ ପୁଅ, ସୋସିଆଲ ମିଡିଆ ପୋଷ୍ଟରେ କଲେ ଆହ୍ୱାନ
ଶରିଫ ସରକାର ବିରୋଧରେ ପାକିସ୍ତାନରେ ହେବ ବିଶାଳ ରାଲି । ସାମିଲ ହେବେ ଇମ୍ରାନଙ୍କ ପୁଅ ।
କରାଚୀ: ପାକିସ୍ତାନ ରାଜନୀତିରେ ଶରିଫ ଏବଂ ଭୁଟୋ ପରିବାରର ଦବଦବା ଏବେ ମଧ୍ୟ ଜାରି ରହିଛି । ଅଗଷ୍ଟ ୫ ତାରିଖରେ ନୂଆ ସୂର୍ଯ୍ୟୋଦୟ ଦେଖିବ ପାକିସ୍ତାନ ଏମିତି କିଛି ଲେଖି ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିଛନ୍ତି ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ।
ସୁଲେମାନ ଇସା ଖାନ୍ ଏବଂ କଶିମ ଖାନ୍ ଦୁହେଁ ବାପା ଇମ୍ରାନଙ୍କୁ ଜେଲରୁ ବାହାର କରିବା ଦାବିରେ କରାଯାଉଥିବା ମେଗା ରାଲିରେ ସାମିଲ ହେବେ । ଗତ ୨ ବର୍ଷ ହେବ ବିନା କାରଣରୁ ଇମ୍ରାନ୍ ଜେଲ ଦଣ୍ଡ କାଟୁଥିବା ବେଳେ ତାଙ୍କୁ ବାହାର କରିବା ସେମାନଙ୍କ ଦାବି ରହିବ ।
ଇମ୍ରାନ ଖାନ୍ ନିଜ ପିଲାମାନଙ୍କୁ କେବେ ରାଜନୀତିରେ ସାମିଲ କରିବା ନେଇ ପୂର୍ବରୁ ଘୋଷଣା କରି ନ ଥିଲେ କିମ୍ବା ସେମାନଙ୍କୁ ରାଜନୀତିରେ ସାମିଲ କରିବା ଯୋଜନା କରି ନ ଥିଲେ ।
ହେଲେ ପରିସ୍ଥିତିର ଆବଶ୍ୟକତା କ୍ରମେ ଏବେ ଇମ୍ରାନଙ୍କ ୨ ପୁଅ ରାଲି କରିବାର ଯୋଜନା କରିଛନ୍ତି, ପରୋକ୍ଷ ଭାବେ ଇମ୍ରାନଙ୍କ ରାଜନୈତିକ ପାର୍ଟିରେ ଏବେ ୨ ପୁଅଙ୍କ ଏଣ୍ଟ୍ରି ସିଧା ସିଧା ବାରି ହୋଇ ପଡ଼ୁଛି ।
ଇମ୍ରାନଙ୍କ ପୁଅମାନଙ୍କର ଏହା ପ୍ରଥମ ପୋଷ୍ଟ ସେମାନଙ୍କ ବାପା ଇମ୍ରାନଙ୍କୁ ନେଇ । ଯାହାକୁ ନେଇ ପାକିସ୍ତାନ ରାଜନୀତି ବେଶ୍ ସରଗରମ ହେବାରେ ଲାଗିଛି । ସେମାନେ ଦାବି କରିଛନ୍ତି ଯେ, ଶରିଫ ସରକାର ଇମ୍ରାନ ଖାନଙ୍କୁ ଛାଡ଼ନ୍ତୁ ।
୭୦୦ ଦିନ ଧରି ସେମାନଙ୍କ ବାପା ଜେଲରେ ଥିବାବେଳେ ଇମ୍ରାନଙ୍କ ସହ ସେମାନଙ୍କ ଦେଖା ହୋଇପାରୁନାହିଁ । ସୂଚନା ମୁତାବକ ଇମ୍ରାନଙ୍କ ୨ ପୁଅ ଏବେ ଲଣ୍ଡନରେ ରହୁଛନ୍ତି ।