fbpx

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ: ଖର୍ଚ୍ଚ ହେବ ୬୫୦ କୋଟି, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ଏଥିପାଇଁ ୬୫୦ କୋଟି ଟଙ୍କା ବ୍ୟୟ ହେବ । କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଇଜର କ୍ୟାମ୍ପସରେ କେନ୍ଦ୍ର ସରକାରଙ୍କ ଆଟୋମିକ୍ ଏନର୍ଜି ବିଭାଗ ଓ ଟାଟା ଟ୍ରଷ୍ଟ ସହଯୋଗରେ ଏହି ହସ୍ପିଟାଲ ନିର୍ମାଣ ହେବ ବୋଲି ସେ କହିଛନ୍ତି ।

ତେବେ ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନିଷ୍ପତ୍ତିକୁ ନେଇ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କୁ ଧନବାଦ ଅର୍ପଣ କରିଛନ୍ତି । ଏ ନେଇ ଆୟୋଜିତ ହୋଇଥିବା ଏକ ବୈଠକରେ ହସ୍ପିଟାଲ ପ୍ରତିଷ୍ଠା ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ୪୦୦ କୋଟି ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଅର୍ଥ ଖର୍ଚ୍ଚ କରିବେ ।

ଏନେଇ ନାଇଜର ପକ୍ଷରୁ ୧୭ ଏକର ପରିମିତ ଜମି ପ୍ରଦାନ କରାଯାଇଥିବା ବେଳେ ଅତିରିକ୍ତ ୧୦ ଏକର ପରିମିତ ଜମି କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପ୍ରଦାନ କରିବ । ଏହି ହସ୍ପିଟାଲକୁ ଟାଟା ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବ । କ୍ୟାମ୍ପସ ପରିସରରେ କର୍ମଚାରୀଙ୍କ ପାଇଁ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା, ହଷ୍ଟେଲ ନିର୍ମାଣ କରାଯିବ । ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.