fbpx

ସବୁଠାରୁ ବଡ଼ ‘ସି ବ୍ରିଜ୍’ର କାଲି ଉଦଘାଟନ କରିବେ ମୋଦୀ: ଜାଣନ୍ତୁ କେତେ ରହିବ ଏଥିରେ ସ୍ପିଡ୍ ଓ କାହାକୁ ମିଳିବନି ଅନୁମତି

ନୂଆଦିଲ୍ଲୀ: ଭାରତରେ ନିର୍ମିତ ଦୀର୍ଘତମ ସି ବ୍ରିଜ୍ ମୁମ୍ବାଇ ଟ୍ରାନ୍ସ ହର୍ବର୍ ଲିଙ୍କ୍ (ଏମଟିଏଚଏଲ) କୁ ଜାନୁଆରୀ ୧୨ ଅର୍ଥାତ୍ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଏହା ପ୍ରାୟ ୨୨ କିଲୋମିଟର ଲମ୍ବା ସେତୁ ହେବ । ଏହି ସେତୁର ଲମ୍ବ ସମୁଦ୍ର ଉପରେ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ୫.୫ କିଲୋମିଟର ଲମ୍ବା ହେବ । ଏ ସମ୍ପର୍କରେ ମୁମ୍ବାଇ ପୋଲିସ କହିଛି ଯେ ଏମଟିଏଚଏଲ ରେ ଚାରି ଚକିଆ ଯାନ ପାଇଁ ସର୍ବାଧିକ ବେଗ ଘଣ୍ଟା ପ୍ରତି୧୦୦ କିଲୋମିଟର ରହିବ । ଏହି ସମୁଦ୍ର ସେତୁରେ ମୋଟରସାଇକେଲ, ଅଟୋରିକ୍ସା ଏବଂ ଟ୍ରାକ୍ଟର ଅନୁମତି ଦିଆଯିବ ନାହିଁ । ସରକାର ଏମଟିଏଚଏଲ ରେ କାରଗୁଡିକର ଟୋଲ୍ ୨୫୦ ଟଙ୍କା ସ୍ଥିର କରିଛନ୍ତି । ଅନ୍ୟ ରାଜପଥ ତୁଳନାରେ ଏହି ଟୋଲ ହାର କମ୍ ବୋଲି ସରକାର ଦାବି କରିଛନ୍ତି ।

କୁହାଯାଉଛି ଯେ କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନିବସ୍ ଏବଂ ଦୁଇ ଅକ୍ସ ବସ୍ ଭଳି ଯାନରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗ ରହିବ । ତେବେ ବ୍ରିଜର ଆରୋହଣ ଏବଂ ଅବତରଣର ଗତି ଘଣ୍ଟା ପ୍ରତି ୪୦ କିଲୋମିଟର ମଧ୍ୟରେ ସୀମିତ ରହିବ । ଜନସାଧାରଣଙ୍କ ପାଇଁ ବିପଦ, ପ୍ରତିବନ୍ଧକ ଏବଂ ଅସୁବିଧାକୁ ରୋକିବା ପାଇଁ ମୁମ୍ବାଇ ପୋଲିସ ଭାରତର ଦୀର୍ଘତମ ସମୁଦ୍ର ସେତୁ ଉପରେ ଏକ ଗତି ସୀମା ଧାର୍ଯ୍ୟ କରିଛି ।

ଏମଟିଏଚଏଲ ନିର୍ମାଣ ପାଇଁ ପ୍ରାୟ ୧୮,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଉପରେ ଟ୍ରାଫିକ୍ ଆରମ୍ଭ ହେବା ସହିତ ସେଣ୍ଟ୍ରାଲ୍ ମୁମ୍ବାଇର ସେଭ୍ରି ଠାରୁ ନାଭି ମୁମ୍ବାଇର ଚିରଲେ ପର୍ଯ୍ୟନ୍ତ ଦୂରତା ୧୫ ରୁ ୨୦ ମିନିଟ୍ ମଧ୍ୟରେ ଅତିକ୍ରମ କରିବ । ଏହି ସେତୁରେ ଟ୍ରାଫିକ୍ ଆରମ୍ଭ ହେବା ସହିତ ମୁମ୍ବାଇ ଏବଂ ପୁଣେ ମଧ୍ୟରେ ଯାତ୍ରା ସହଜ ହେବ ଏବଂ ଅନେକ ସମୟ ମଧ୍ୟ ବଞ୍ଚିଯିବ । ଏହା ଲୋନାଭଲା, ଚାନ୍ଦଲା ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ୯୦ ମିନିଟକୁ ହ୍ରାସ କରିବ ବୋଲି ଆଶା କରାଯାଉଛି । କାରରେ ମୁମ୍ବାଇ ଏବଂ ନାଭି ମୁମ୍ବାଇ ମଧ୍ୟରେ ମାତ୍ର ୨୦ ମିନିଟ ଯାତ୍ରା କରିପାରିବେ । ନଚେତ୍ ଏହା ୨ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଉଛି ।

Get real time updates directly on you device, subscribe now.