fbpx

ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା; ୧୭ଟି ଆସନରେ ଲଢ଼ିବ ବିଜେପି, ୧୬ଟି ସିଟ୍‌ରେ ଲଢ଼ିବ ଜେଡିୟୁ…

ନୂଆଦିଲ୍ଲୀ : ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା । ସୋମବାର ସନ୍ଧ୍ୟାରେ ଏନଡିଏ ପକ୍ଷରୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ବିହାର ଏନଡିଏରେ ଆସନ ବୁଝାମଣା ଘୋଷଣା କରିଛନ୍ତି। ବିହାରରେ ଭାରତୀୟ ଜନତା ପାର୍ଟି ୧୭ଟି, ଜନତା ଦଳ-ୟୁନାଇଟେଡ୍ ୧୬ଟି ଏବଂ ଲୋକ ଜନଶକ୍ତି ପାର୍ଟି ୫ଟି ଆସନରେ ନିର୍ବାଚନ ଲଢ଼ିବ। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ଗୋଟିଏ ଲେଖାଏଁ ଆସନ ଦିଆଯାଇଛି।

ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଯେ ବିଜେପି ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଔରଙ୍ଗାବାଦ, ମଧୁବନୀ, ଦରଭଙ୍ଗା, ମୁଜାଫରପୁର, ମହାରାଜଗଞ୍ଜ, ସରନ, ଉଜିଆରପୁର, ବେଗୁସରାଇ, ନୱାଦା, ପାଟନା ସାହିବ, ପାଟଲିପୁତ୍ର, ଆରା, ବକ୍ସର ଏବଂ ସାସାରାମ ସମେତ ୧୭ଟି ଆସନରେ ଲଢ଼ିବ। ଜେଡିୟୁ ବାଲ୍ମିକି ନଗର, ସୀତାମଢୀ, ଶିଓହର, ଝଙ୍ଝାରପୁର, ସୁପୌଲ, କିଶନଗଞ୍ଜ, କଟିହାର, ମଧେପୁରା, ଗୋପାଳଗଞ୍ଜ, ସିୱାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଳନ୍ଦା ଓ ସିୱାନରେ ନିର୍ବାଚନ ଲଢ଼ିବ। ଏଲ୍ଜେପି (ଆର୍) ବୈଶାଳୀ, ହାଜିପୁର, ସମସ୍ତିପୁର, ଖଗରିଆ ଓ ଜାମୁଇ ଆସନରେ ନିର୍ବାଚନ ଲଢ଼ିବ। ମାଝୀଙ୍କ ଦଳ ଗୟାରୁ ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳ କରାକାଟ ଆସନରୁ ନିର୍ବାଚନ ଲଢ଼ିବ।

ଆସନ ବଣ୍ଟନ ଘୋଷଣା ପୂର୍ବରୁ ବିନୋଦ ତାଓ୍ଵଡେ କହିଥିଲେ ଯେ ଯଦିଓ ଦଳର ନିର୍ବାଚନ ଚିହ୍ନ ଅଲଗା ଅଲଗା, ତଥାପି ଏନଡିଏର ସମସ୍ତ ଦଳ ସମସ୍ତ ୪୦ଟି ଆସନରେ ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବେ। ଆମେ ୪୦ଟି ଆସନରୁ ୪୦ଟି ରେ ଜିତିବୁ। ଅନ୍ୟପକ୍ଷରେ ଏଲଜେପି ରାଜ୍ୟ ସଭାପତି ରାଜୁ ତିୱାରୀ କହିଛନ୍ତି ଯେ ଏଲଜେପି (ରାମ ବିଳାସ)କୁ ୫ଟି ଆସନ ମିଳିଛି। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସମେତ ସମସ୍ତ ଦଳକୁ ଧନ୍ୟବାଦ ଜଣାଉଛି। ସେପଟେ ଜେଡିୟୁ ସାଂସଦ ସଞ୍ଜୟ ଝା କହିଛନ୍ତି ଯେ ଜେଡିୟୁକୁ ୧୬ଟି ଆସନ ମିଳିଛି। ୨୦୨୪ ନିର୍ବାଚନରେ ଏନଡିଏ ବିହାରର ୪୦ଟି ଆସନରୁ ୪୦ଟି ରେ ବିଜୟୀ ହେବ।

 

Get real time updates directly on you device, subscribe now.