fbpx

ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଚିହ୍ନଟ କଲେ ଏକ ନୂଆ ପ୍ରଜାତିର ମାଛ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତିର ମାଛ ଚିହ୍ନଟ କରିଛନ୍ତି । ଗତ ୨୦୧୮ ମସିହାରେ ଏହି ପ୍ରଜାତିର ମାଛର ୨୪ଟି ନମୂନା ଭାରତର ପୂର୍ବ ଉପକୂଳର ଦିଘା ମୁହାଣରୁ ମତ୍ସ୍ୟଜୀବୀମାନେ ସଂଗ୍ରହ କରିଥିଲେ । ପରେ ତାହାକୁ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡଏସଆଇ) କେନ୍ଦ୍ରର ବୈଜ୍ଞାନିକଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା ।

ତେବେ ଉକ୍ତ ପରୀକ୍ଷା ପାଇଁ ୫ ବର୍ଷ ସମୟ ଲାଗିଥିବା ବେଳେ ନୂତନ ମାଛର ନାମ ‘ଟେରିଗୋଟ୍ରିଗଲା ଇଣ୍ଟରମେଡିକା’ ରଖାଯାଇଛି । ନୂତନ ପ୍ରଜାତିର ମାଛ କମଳା ରଙ୍ଗର ହୋଇଥିବା ବେଳେ ତା’ଠାରେ କଳା ଛିଟ ରହିଛି । ତାହାକୁ ‘ଫ୍ଲାଇଙ୍ଗ ଗୁର୍ନାଡ’ ବୋଲି କୁହାଯାଉଛି । ସେଥିରେ କ୍ଷୂକ୍ଷ୍ମ ରୋଷ୍ଟ୍ରାଲ ୨ଟି କଣ୍ଟା ଥିବା ଜଣାପଡ଼ିଛି । ମୁଣ୍ଡ ଚେପଟା ହେବା ସହିତ ମାଛର କଣ୍ଟା ବିଷାକ୍ତ ଓ ସେମାନେ ଗଭୀର ସମୁଦ୍ରରେ ଥିବା ଛୋଟ ମାଛ, ଗେଣ୍ଡାକୁ ଶିକାର କରିଥାନ୍ତି ।

ନୂତନ ପ୍ରଜାତିର ମାଛଗୁଡ଼ିକୁ ପଶ୍ଚିମବଙ୍ଗର ଉପକୂଳରୁ ପାଖାପାଖି ୯୦ କିମି ଦୂରତା ଓ ୫୨ ମିଟର ଗଭୀରରୁ ଏକ ଟ୍ରଲର ଦ୍ୱାରା ସଂଗ୍ରହ କରାଯାଇଥିଲା । ସଂଗୃହୀତ ମାଛ ଅନ୍ୟ ସମାନ ପ୍ରଜାତିଠାରୁ ଆକୃତିରେ ଅଲଗା ରହିଥିଲେ । ଏକ ଅନ୍ତର୍ଜାତୀୟ ଜଣାଶୁଣା ମାଗାଜିନରେ ବୈଜ୍ଞାନିକମାନେ ଏହି ତଥ୍ୟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ଓଡ଼ିଶାରୁ ଏକ ନୂଆ ପ୍ରଜାତିର ମାଛ ଚିହ୍ନଟ ହୋଇଥିଲା । ଅନ୍ୟ କୁଚିଆ ପ୍ରଜାତିର ମାଛ ଠାରୁ ତାହା ଭିନ୍ନ ରହିଥିବା ବେଳେ ତା’ର ନାମ ‘ମୁରାନିଥିସ୍’ ରଖାଯାଇଥିଲା ।

Get real time updates directly on you device, subscribe now.