ଓଡିଶା ଭାସ୍କର: ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟା। ଦୀର୍ଘ ୬ ଦିନ ଧରି ଏହି ଶିଶୁ କନ୍ୟାଙ୍କୁ ଆଇସିୟୁରେ ଭର୍ତ୍ତି କରି ରଖାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ଶିଶୁ କନ୍ୟାଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଥିବା ସୂଚନା ମିଳିଛି। ପ୍ରି ମ୍ୟାଚୋରି ବେବି ଯୋଗୁଁ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖାଯାଇଥିବା ଡାକ୍ତର କହିଛନ୍ତି। ଫଳରେ କୁନି ଶିଶୁଟିର ପେଟ ଫୁଲିଥିବା ଡାକ୍ତର କହିଛନ୍ତି। ଉଦ୍ଧାର ଶିଶୁ କନ୍ୟାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି ।
ସୂଚନା ଥାଉକି, ଗତ ୧୨ ତାରିଖ ଦିନ ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ବୋରୱେଲରେ ଗୋଟିଏ ନବଜାତ ଶିଶୁ ଫସି ରହିଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଏହି ରେସ୍କ୍ୟୁ ଅପରେସନ ଜାରି ରହିଥିଲା। ଜେସିବି ଜରିଆରେ ବୋରୱେଲ କଡ଼ରୁ ମାଟି ତାଡିବା ପରେ ଲୁହା ପାଇପ ନିକଟରେ ପହଞ୍ଚିଥିଲେ ରେସ୍କ୍ୟୁ ଓ ଡାକ୍ତରୀ ଟିମ ସଦସ୍ୟ। ଏହା ପରେ କଟର ମେସିନ ଯୋଗେ ଉକ୍ତ ଲୁହା ପାଇପକୁ କଟାଯାଇଥିଲା। ଏହି ସମୟରେ ଶିଶୁର କାନ୍ଦ ଶୁଭାଯାଇଥିଲା ବୋଲି କୁହାଯାଇଥିଲା। ଶିଶୁଟିର କାନ୍ଦ ଶୁଭିବା ପରେ ଜୋରସୋରରେ ଉଦ୍ଧାର କାର୍ୟ୍ୟ ଚାଲିଥିଲା। ଶେଷରେ ପାଇପ କଟା ସରିବା ପରେ ଶିଶୁର ପାଖରେ ପହଞ୍ଚି ଡାକ୍ତରୀ ଟିମ ସଦସ୍ୟ ତାକୁ ଉଦ୍ଧାର କରିଥିଲେ। ଶିଶୁଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହା ପରେ ଶିଶୁଟି ଝିଅ ବୋଲି ଜଣାପଡିଥିଲା । ତୁରନ୍ତ ସୁରକ୍ଷିତ ଅବସ୍ଥାରେ ଶିଶୁଟିକୁ ଆଇସିୟୁରେ ଭର୍ତି କରାଯାଇଥିଲା ।