fbpx

ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ରୁ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଲଘୁଚାପ ପ୍ରଭାବ ଓ ମୌସୁମୀ ବାୟୁ ସକ୍ରିୟ ଫଳରେ ରାଜ୍ୟରେ ଗତ ୪ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତଳି ଅଞ୍ଚଳ ପାଣିରେ ବୁଡ଼ି ରହିଛି । ଏପରିକି ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ବେହାଲ ହୋଇପଡ଼ିଛି । ଏସବୁ ଭିତରେ ଓଡ଼ିଶା ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ସୂଚନାନୁଯାୟୀ, ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି । ଏହା ସମୁଦ୍ର ଉପରେ ପ୍ରାୟ ଦେଢ଼ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଛି । ଏଥିପୂର୍ବରୁ ଗତ ୪ ତାରିଖରେ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଝାରଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଏହି ଲଘୁଚାପ ଫଳରେ ରାଜ୍ୟରେ ୪ରୁ ୫ ଦିନ ବର୍ଷାର ପ୍ରଭାବ ଜାରି ରହିବ । ଏପରିକି ୭ରୁ ୨୦ ସେଣ୍ଟିମିଟର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏଥି ନିମନ୍ତେ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, କନ୍ଧମାଳ, ବରଗଡ଼, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି । ଅନ୍ୟପକ୍ଷରେ ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ୭୨ ମି.ମି., ଯାଜପୁରରେ ୪୩ ମି.ମି., ମାଲକାନଗିରିରେ ୩୪.୮ ମି.ମି., ଫୁଲବାଣୀରେ ୨୪ ମି.ମି., ଟିଟିଲାଗଡ଼ରେ ୨୦ ମି.ମି., ଢେଙ୍କାନାଳରେ ୨୧.୪ ମି.ମି. ଏବଂ ନବରଙ୍ଗପୁରରେ ୧୩.୨ ମି.ମି. ବର୍ଷା ହୋଇଥିବା ରେକର୍ଡକ କରାଯାଇଛି ।

Get real time updates directly on you device, subscribe now.