fbpx

ରାଜ୍ୟରେ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା: ୭ ଦିନ ପର୍ଯ୍ୟନ୍ତ ବର୍ଷିବ

ସବୁ ଜିଲ୍ଲାପାଳଙ୍କୁ ସଜାଗ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ଏବେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏଥି ସହ ଓଡ଼ିଶାର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ତେଣୁ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୧୨ରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ୧୨ ଓ ୧୩ରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଛି । ଗତ ଜୁନ୍‌ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇ ଆରମ୍ଭରୁ ସାରା ରାଜ୍ୟରେ ଭଲ ବର୍ଷା ଲାଗି ରହିଛି । ଫଳରେ ବର୍ଷା ଅଭାବସ୍ଥିତିରେ ସୁଧାର ଆସିଛି । ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ମୋଟ ବର୍ଷାକୁ ଦେଖିଲେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ବିଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ଅତ୍ୟଧିକ ବର୍ଷା ହୋଇଛି । ୧ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ତା’ଠାରୁ ୨୬% ଅଧିକ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ପ୍ରବଳ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ, କୃଷିବିଭାଗ ଓ ପୌର କର୍ତ୍ତୃକ୍ଷଙ୍କୁ ସତର୍କ ରହିବା ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି । କୋରାପୁଟ୍‌ରେ ୧୦୫ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ମାଲକାନଗିରି ୫୭.୮ ମି.ମି., ଯାଜପୁରରେ ୫୯ ମି.ମି., ନବରଙ୍ଗପୁରରେ ୬୭ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାବ୍ୟତୀତ ଭୁବନେଶ୍ୱର, ବାଲେଶ୍ୱର ଓ ଦାରିଙ୍ଗିବାଡ଼ି ସମେତ ରାଜ୍ୟର ଅନେକ ସ୍ଥାନରେ ଭଲ ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.