fbpx

ମଣିପୁର ପ୍ରସଙ୍ଗରେ ଆମ ହାତ ବାନ୍ଧି ଦିଆଯାଇଛି; ବିଜେପି ସହଯୋଗୀ ଦଳର ସାଂସଦ

ଓଡିଶା ଭାସ୍କର; ମଣିପୁର ହିଂସାକାଣ୍ଡକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିଭିନ୍ନ ବିରୋଧୀ ଦଳ । ସେହିପରି ଏବେ ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ ମଧ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ବିଜେପି ସହଯୋଗୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ)ର ସାଂସଦ ଲୋରହୋ ପଫୋଜ ବିଜେପିକୁ ନେଇ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ପଫୋଜ କହିଛନ୍ତି ଯେ ଆମେ ସଂସଦରେ ମଣିପୁର ଉପରେ ନିଜ କଥା ରଖିବାକୁ ଚାହୁଁଛୁ । ହେଲେ ଏଥିପାଇଁ ଆମକୁ ଅନୁମତି ମିଳୁନାହିଁ । ଆମେ ବିଜେପିର ସହଯୋଗୀ ହେଲେ ବି ମଣିପୁର ଲୋକଙ୍କ ପାଇଁ ଆମକୁ କହିବାକୁ ପଡିବ ।

ପଫୋଜ କହିଛନ୍ତି, ମଣିପୁର ପ୍ରସଙ୍ଗରେ ସଂସଦରେ ମୋତେ କହିବାର ସୁଯୋଗ ଦିଆଗଲା ନାହିଁ, ମୁଁ ଯେତେବେଳେ କହିବାକୁ ଚାହିଁଲି ସେତେବେଳେ ମୋତେ ରୋକା ଯାଇଥିଲା । ଏହାକୁ ନେଇ ସାମ୍ବାଦିକ ପଚାରିଥିଲେ, ଆପଣଙ୍କୁ କିଏ ରୋକିଥିଲା । ଉତ୍ତର ଦେବାକୁ ଯାଇ ପଫୋଜ କହିଥିଲେ ଯେ, ଆମେ ବିଜେପିର ସହଯୋଗୀ ଦଳ ତେଣୁ ଆମ ହାତ ବନ୍ଧା ହୋଇଛି ଓ କିଛି ଆଦେଶକୁ ପାଳନ କରିବାକୁ ପଡୁଛି । ବିଜେପି ମଣିପୁରରେ ଅନେକ ଭଲ କାମ କରିଛି । ହେଲେ ଏବେ ଯେଭଳି ଭାବେ ହିଂସା ଲାଗି ରହିଛି ତାହାକୁ ରୋକିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.