fbpx

ଆଗକୁ ରାଜ୍ୟ ବଜେଟ: କେଉଁ ବର୍ଗଙ୍କୁ ମିଳିବ ଫାଇଦା, ରାଜ୍ୟ ସରକାର କରିପାରନ୍ତି ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ତେବେ ଏହି ବୈଠକରେ ପାଖାପାଖି ୨.୫ ଲକ୍ଷ କୋଟିର ବଜେଟ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ର ପ୍ରତି ଫୋକସ୍ କରିପାରନ୍ତି ।

ଗତ ୧ ତାରିଖରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଆଗତ କରିଥିବା ବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ ବୋଲି କୁହାଯାଉଛି । ତା’ ପୂର୍ବରୁ ଆସନ୍ତା ୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ତେବେ ଏହି ଅଧିବେଶନ ପୂର୍ବରୁ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି । ତେବେ ଚଳିତ ବଜେଟରେ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ତରଫରୁ ଚଳିତ ବର୍ଷର ଅନ୍ତରୀଣ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ଆଗତ କରିଥିବା ବେଳେ ରାଜ୍ୟ ବଜେଟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିବେ । କେନ୍ଦ୍ର ସରକାର ଏହି ବଜେଟରେ ଗରିବ ଲୋକଙ୍କୁ ଘର କିଣିବା ଓ ଘର ତିଆରି କରିବା ନେଇ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିବା ବେଳେ ଗରିବ, ମହିଳା, ଯୁବକଙ୍କ ଉପରେ ବିଶେଷ ଧ୍ୟାନ ଦେଇଥିଲେ । ଅନୁରୂପ ଭାବେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ବର୍ଗଙ୍କୁ ଖୁସି କରିବା ପାଇଁ କିଛି ବଡ଼ ପଦକ୍ଷେପ ଗ୍ରହଣ କରିପାରନ୍ତି । ରାଜ୍ୟ ସରକାର ରାଜ୍ୟରେ ଆରମ୍ଭ କରିଥିବା ବିଭିନ୍ନ ଯୋଜନାକୁ ନେଇ ରାଜ୍ୟବାସୀଙ୍କୁ କିଛି ଖୁସି ଖବର ଦେଇ ପାରନ୍ତି ।

Get real time updates directly on you device, subscribe now.