fbpx

ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପର ପ୍ରଭାବ: ଆହୁରି ୩ଦିନ ବର୍ଷାରେ ଭିଜିବ ଓଡ଼ିଶା, ଏହି ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୪ତାରିଖ ଯାଏଁ ବର୍ଷାର ପ୍ରଭାବ ଦେଖାଦେବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଥିବା ବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ତେବେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିବ । ଉପକୂଳ ଓଡ଼ିଶରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା, ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୫ ଜିଲ୍ଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁରରେ ବି ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସୋମବାର, ମଙ୍ଗଳବାର ଓ ବୁଧବାର ତିନି ଦିନ ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସୁନ୍ଦରଗଡ, ଅନୁଗୁଳ, ଦେବଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ନୂଆପଡା, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡୀ, କନ୍ଧମାଳ, ବୌଦ୍ଧ, ନୟାଗଡା, ଜଗତସିଂହପୁର, କଟକ, ଯାଜପୁର, ଢ଼େଙ୍କାନାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଦୁଇ ଓ ତିନି ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି ।

ଦୁଇ ତାରିଖରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ୩ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ବରଗଡ, ବଲାଙ୍ଗୀର ଓ କେନ୍ଦୁଝରରେ ଭାରି ବର୍ଷାର ସମ୍ଭାବନା ରହିଛି । ୪ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଗତ ଜୁନ୍ରେକମ୍ ବର୍ଷା ରେକର୍ଡ କରାଯାଇଥିଲା । କିନ୍ତୁ ଜୁଲାଇ ପଶ୍ଚିମାଝଡ ପ୍ରଭାବରେ ବର୍ଷା ପରିମାଣ ଅଧିକ ରହିଥିଲା । ସେହିଭଳି ଅଗଷ୍ଟରେ ବର୍ଷା ପରିମାଣ କମ ହୋଇଥିବା ବେଳେ ସେପ୍ଟେମ୍ବରରେ ତାହା ଭରଣା କରାଯାଇଥିଲା । ୪ମାସରେ ଦେଶରେ ମୋଟ ୮୨୦ମିମି ବର୍ଷା ରେକର୍ଡ କରାଯାଇଛି । ଯେଉଁଠିକି ସ୍ୱାଭାବିକ ବର୍ଷା ୮୬୮.୬ମିମି ହେବା କଥା ।

 

Get real time updates directly on you device, subscribe now.