ବାରବାଟୀ ଦୁର୍ଗ ଖନନରୁ ମିଳିଲା ନବମ ଶତାବ୍ଦୀର ମନ୍ଦିର: କଟକ ଆର୍ଥିକ ସମୃଦ୍ଧ ଥିଲା ଓ ନୌବାଣିଜ୍ୟରେ ଆଗରେ ଥିଲା, ASIକୁ ମିଳିଲା ବଡ଼ ପ୍ରମାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟର ରାଜଧାନୀ ଭାବେ ଭାବେ ପରିଗଣିତ ହେଉଥିବା କଟକ ସହର ସହ ଆଜି ବି ଯୋଡ଼ି ହୋଇ ରହିଛି ଅନେକ ଗୌରବମୟ ଇତିହାସ । ଇତିହାସର ପୃଷ୍ଠା ଓଲଟାଇଲେ କଟକର ସୁଖ, ଦୁଃଖ ସହ ଜଡ଼ିତ ଅନେକ ଘଟଣାବଳୀ ସାମ୍ନାକୁ ଚାଲିଆସିଥାଏ । ତେବେ ଏହା ମଧ୍ୟରେ କଟକର ଅତୀତର ଗୌରବମୟ ଗାଥା ପୁଣି ଥରେ ଲୋକଲୋଚନାକୁ ଆସିଛି । ଗତ ୬ ମାସ ଧରି ବାରବାଟୀ ଦୁର୍ଗ ଖନନ କାର୍ଯ୍ୟ ଚାଲିଥିବା ବେଳେ ସେଥିରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ବାରବାଟୀ ଦୁର୍ଗ ଖନନ ସମୟରେ ଦୁର୍ଗ ଭିତରୁ ୩ଟି ନୂଆ ମନ୍ଦିରର ଭଗ୍ନାବଶେଷ ମିଳିଛି । ସେଥିରୁ ଗୋଟିଏ ମନ୍ଦିର ନବମ ଶତାବ୍ଦୀର ଓ ଅନ୍ୟ ଦୁଇଟି ଦ୍ୱାଦଶ ଶତାବ୍ଦୀ ଓ ତା’ ପରବର୍ତ୍ତୀ ସମୟର ବୋଲି ଅନୁମାନ କରଯାଉଛି । କେବଳ ଏତିକି ନୁହେଁ, ଏହି ଖନନ ପ୍ରକିୟାରୁ ବିଭିନ୍ନ ଦେଶର ବହୁ ସାମଗ୍ରୀ ମିଳିଛି । ନୌବାଣିଜ୍ୟ କାରବରରେ କଟକ ବେଶ୍ ଆଗରେ ରହିଥିଲା ତାହା ପ୍ରମାଣିତ ହୋଇଛି । କଟକର ନୌବାଣିଜ୍ୟ କାରବାରର ବ୍ୟାପକତା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ।

ଗ ୬ ମାସ ଧରି ଚାଲିଥିବା ଏହି ଖନନ କାର୍ଯ୍ୟରୁ ଅନେକ ନୂଆ ସାମଗ୍ରୀ ମିଳିଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ମୁଖ୍ୟ ଅଧିକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ସୂଚନା ଦେଇଛନ୍ତି । ଦୁର୍ଗ ଖନନରୁ ନବମ ଶତାବ୍ଦୀର ଚାଇନା ପାତ୍ର, ଆରବ ଦେଶର ବିଭିନ୍ନ ସାମଗ୍ରୀ ମିଳିଛି । ବାଲି, ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ଚୀନ, ଭିଏତନାମ, ଆରବ ଦେଶ, ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ସହ କଟକ ସହର ନୌବାଣିଜ୍ୟ କାରବାର କରୁଥିଲା । ଦେଢ଼ ହଜାର ବର୍ଷ ତଳେ କଟକ ଆର୍ଥିକ, ସାଂସ୍କୃତିକ ଓ ସାମାଜିକ ଦୃଷ୍ଟିରୁ ବେଶ୍ ସମୃଦ୍ଧ ଥିବା ନେଇ ଏଏସଆଇକୁ ପ୍ରମାଣ ମିଳିଛି ।

ବିଭିନ୍ନ ସମୟରେ ଏଏସଆଇ ଦ୍ୱାରା ବାରବାଟୀ ଦୁର୍ଗ ଖନନ କରାଯାଇଛି । ପ୍ରଥମ ଥର ପାଇଁ ୧୯୭୯ରେ ଖନନ ଆରମ୍ଭ ହୋଇଥିଲା । ପରେ କିଛି ବର୍ଷ ପାଇଁ ବନ୍ଦ ହୋଇଥିଲା । ପରେ ୧୯୯୫ରୁ ୯୬ ପର୍ଯ୍ୟନ୍ତ ଚାଲିଥିଲା । ତା’ପରେ ୨୦୦୩ରୁ ୨୦୦୬ ଓ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ଦୁର୍ଗ ଖନନ କରାଯାଇଥିଲା । ତେବେ ଦୀର୍ଘବର୍ଷ ପରେ ପୁଣି ଥରେ ଗତବର୍ଷ ଅକ୍ଟୋବର ମାସରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଯେତିକି ଯେତିକି ତଳକୁ ଖୋଳା ହେଉଛି ସେତିକି ପୁରୁଣା କୀର୍ତ୍ତିରାଜି ମିଳିବାରେ ଲାଗିଛି ।