fbpx

କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା: ଜୁନ୍ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ-କିଷାନ ଅର୍ଥ ଟ୍ରାନ୍ସଫର କରିବେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ପିଏମ୍ ପିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ୧୮ ତାରିଖରେ ଚାଷୀଙ୍କ ଖାତାକୁ ଏହି ଯୋଜନାର ୧୭ତମ କିସ୍ତି ପଠାଯିବ । ଏନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍ । ଯଦି ଆପଣମାନେ ଏହି ଯୋଜନାର ହିତାଧିକାରୀ ଅଟନ୍ତି ତେବେ ଆପଣଙ୍କର ପ୍ରତୀକ୍ଷାର ଅନ୍ତ ଘଟିବ । ଗତ ଫେବୃଆରୀ ମାସ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ ୧୬ତମ କିସ୍ତି ବାବଦରେ ଯୋଗ୍ୟ କିଷାନଙ୍କ ଆକାଉଣ୍ଟକୁ ୨-୨ ହଜାର ଟଙ୍କା ଲେଖାଏଁ ପଠାଯାଇଥିଲା ।

ଖବର ମୁତାବକ, ଆସନ୍ତା ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଗସ୍ତରେ ଯିବେ । ଏହି ଅବସରରେ ସେ କିଷାନଙ୍କୁ ସମ୍ବୋଧିତ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ଟ୍ରାନ୍ସଫର କରିବେ । ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀ ୩୦ ହଜାର ପ୍ରଶିକ୍ଷିତ ମହିଳା କୃଷି ମାର୍ଗଦର୍ଶକଙ୍କୁ ସାମିଲ କରିବେ । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ୨୦ ମିଲିୟନ କିଷାନ ଭୌତିକ ରୂପେ ଓ ଭର୍ଚୁଆଲରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ପଠାଯାଇଛି । କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଏ ବାବଦରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭାରତ ସରକାରଙ୍କ ଏକ ଯୋଜନା ହୋଇଥିବା ବେଳେ ଏହି ଯୋଜନା ଅଧିନରେ କିଷାନଙ୍କୁ ସରକାରଙ୍କ ତରଫରୁ ସର୍ବନିମ୍ନ ଆୟ ସହାୟତା ଭାବେ ପ୍ରତି ବର୍ଷ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ୨୦୧୯ ମସିହା ଫେବୃଆରୀ ମାସ ୧ ତାରିଖରେ ପୀୟୂଷ ଗୋୟଲ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୨୦୧୯ ମସିହା ଅନ୍ତରୀଣ ବଜେଟରେ ଏନେଇ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.