fbpx

ଭୋଜି ଭାତରେ ମସ୍‌ଗୁଲ୍‌ ଥିଲେ ପୋଲିସ କର୍ମଚାରୀ, ଗୋଟିଏ ରାତିରେ ୪ ଦୋକାନରୁ କଳାକନା ବୁଲାଇ ଚମ୍ପଟ ମାରିଲେ ଚୋରି; ଟେର୍ ପାଉନିି ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): କିଛିଦିନ ହେବ ଗୋପ ଥାନା ଅଞ୍ଚଳରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଗୋଟିଏ ସପ୍ତାହ ତଳେ ବଦଳି ହୋଇଥିବା ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁଳିକରି ହତ୍ୟା କରିବା ଧମକ ଦେଇଥିବା ବେଳେ କେତେ ବେଳେ ଗୋପ ଥାନାର ମହିଳା ଏସ୍‌ଆଇ ଅଭିଯୋଗକାରୀଙ୍କ ଅଭିଯୋଗକୁ ଚିରି ଫୋପାଡି ଦେଉଛନ୍ତି । ଏ ଭଳି ସମୟରେ ଗୋପ ପୋଲିସ ଥାନା ଭିତରେ ଭୋଜିଭାତରେ ମସଗୁଲ୍‌ ରହିଥିବା ସମୟରେ ଏହି ଥାନା ଅନ୍ତର୍ଗତ ମଦରଙ୍ଗ ଛକଠାରୁ ଗୋଟିଏ ରାତିରେ ୪ ଗୋଟି ଦୋକାନରୁ ଚୋରି ହୋଇଥିବା ଥାନା ପକ୍ଷରୁ ଜଣାପଡିଛି । ଏହି ସବୁ ଅଭିଯୋଗକୁ ନେଇ ଗୋପ ଥାନାରେ ୪୦୮/୨୧/ଏକ ମୋକଦ୍ଦମା ରୁଜ୍ଜୁ କରାଯାଇଥିବା ବେଳେ କାହାକୁ ହେଲେ ପୋଲିସ ଗିରଫ କରିପାରିନାହିଁ ।

ପ୍ରକାଶ ଯେ, ଗୋପ ପୋଲିସ ଏବେ ବିଭିନ୍ନ ଘଟଣାକୁ ନେଇ ଏବେ ନିନ୍ଦିତ ହୋଇ ପଡ଼ିଛି ଏବଂ ଗୋପ ଥାନା ଅଞ୍ଚଳରେ ସାଧାରଣ ଗରିବ ନିରୀହ ଲୋକମାନଙ୍କର ପୋଲିସ ଉପରୁ ଭରସା ଓ ବିଶ୍ୱାସ ତୁଟିବାରେ ଲାଗିଛି । ଶୁକ୍ରବାର ଗୋପ ପୋଲିସ ଥାନା ଭିତରେ ଭୋଜିଭାତରେ ମସଗୁଲ୍‌ ରହିଥିବା ସମୟରେ ମଦରଙ୍ଗ ବଜାରରେ ଦୋକାନ ଦେଇଥିବା ବିଚିତ୍ରାନନ୍ଦ ପ୍ରଧାନ, ବଟକୃଷ୍ଣ ପ୍ରଧାନ, ରାକେଶ୍‌ ପ୍ରଧାନ, ପ୍ରଦିପ୍ତ ପ୍ରଧାନଙ୍କ ଦୋକାନରୁ ଚୋରି ହୋଇ ଥିବା ଜଣାପଡିଛି । ଶନିବାର ଏ ସମ୍ପର୍କରେ ଗୋପ ଥାନାରେ ଅଭିଯୋଗ ହୋଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ଗତ ସପ୍ତାହରେ ନାଗପୁର ହାଟରୁ ୪ ଗୋଟି ମୋଟର ସାଇକେଲ ଚୋରି ହୋଇ ଅଭିଯୋଗ ହେବା ପରେ ମଧ୍ୟ ପୋଲିସ ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରି ମଧ୍ୟ କାହାରିକୁ ଗିରଫ କରିପାରିନାହିଁ ।

ସେହିପରି ବେଗୁନିଆ ଛକ ଠାରେ ଥିବା ଏକ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍‌ ଭଙ୍ଗା ଘଟଣା ସାଙ୍ଗକୁ ଗୋପ ବ୍ଲକ୍‌ ଛକ ନିକଟରୁ ଏକ ମୋଟର ସାଇକେଲ ଚୋରି ହେବା ପରେ ପୋଲିସ ହାତ ଖାଲି ରହିଛି । ଅପରପକ୍ଷରେ ଗୋପ ଥାନା ଅଞ୍ଚଳରେ ଏବେ ଦିନ ଦ୍ୱିପହରରେ ଧଳାଜହର ସାଙ୍ଗକୁ ସରକାରୀ ଭାଙ୍ଗ ଦୋକାନରେ ଗଞ୍ଜେଇ ଅଫମ ବିକ୍ରି ହେଉଥିବା ସମୟରେ ନୟାହାଟ ଫାଣ୍ଡି ନିକଟରେ ବେଆଇନ ଭାବରେ ମଦ ଗଞ୍ଜେଇ ପାଉଡ଼ର ବିକ୍ରି ସହିତ ଫାଣ୍ଡି ଅଞ୍ଚଳରେ ଜୁଆ ଖେଳ ବୃଦ୍ଧି ପାଉଛି । ଗୋପ ଥାନା ଓ ନୟାହାଟ ଫାଣ୍ଡି ଅଞ୍ଚଳର ପୋଲିସ ବଟି ଆଦାୟ ସହିତ ମାସିକିଆ ବଟି ନେଉଥିବାରୁ ଏପରି ଅବସ୍ଥା ଦେଖାଯାଉଛି ବୋଲି ବୃଦ୍ଧିଜୀବୀମାନେ ମତ ଦେଇଛନ୍ତି । ଅପରପକ୍ଷରେ ଏହି ସବୁ ଥାନା ଓ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ସହ ଥାନା କର୍ମଚାରୀମାନଙ୍କୁ ବଦଳି କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି । ଏପରି ଅଭିଯୋଗ ସଂପର୍କରେ ଗୋପ ଥାନା ଅଧିକାରୀ ଦାୟିତ୍ୱରେ ଥିବା ଏସ୍‌ଆଇ ବଂଶିଧର ବିଶ୍ୱାଳଙ୍କୁ ପଚାରିବାରେ ଅଭିଯୋଗକୁ ନେଇ ମକଦ୍ଦମା ରୁଜ୍ଜୁ କରାଯାଇଛି । କିନ୍ତୁ ଅଭିଯୁକ୍ତମାନଙ୍କୁ ତଦନ୍ତ ପରେ ଗିରଫ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.