ଯେତେ ଜମାରାଶି ଥିଲେ ବି ପ୍ରଥମେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ: ପରୀକ୍ଷା ସଫଳ ହେଲେ ସୁଧ ସହ ଫେରାଯିବ ଅବଶିଷ୍ଟ ଅର୍ଥ
ନୂଆଦିଲ୍ଲୀ: ସାହାରା ଇଣ୍ଡିଆରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ନିବେଶକଙ୍କ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ନିକଟରେ ‘ସାହାରା ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ ଆବେଦନ କରି ନିବେଶକମାନେ ୪୫ ଦିନ ମଧ୍ୟରେ ସେମାନଙ୍କର ଅର୍ଥ ଫେରସ୍ତ ପାଇ ପାରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପୋର୍ଟାଲକୁ ଲଞ୍ଚ କରିଥିବା ବେଳେ ପାଖାପାଖି ୪ କୋଟି ନିବେଶକମାନେ ସେମାନଙ୍କର ଅର୍ଥ ପାଇ ପାରିବେ ।
ତେବେ ନିବେଶକଙ୍କର ସାହାରା ଇଣ୍ଡିଆରେ ଯେତେ ଅଧିକ ଜମାରାଶି ରହିଥିଲେ ହେଁ ସେମାନଙ୍କୁ କେବଳ ୧୦ ହଜାର ଟଙ୍କା ପରୀକ୍ଷାମୂଳକ ଭାବେ ପ୍ରଦାନ କରାଯିବ । ଏହି ପରୀକ୍ଷା ସଫଳ ହେଲେ ଅବଶିଷ୍ଟ ଟଙ୍କା ନିବେଶକଙ୍କୁ ସୁଧ ସହିତ ଫେରସ୍ତ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାଖାପାଖି ୧ କୋଟି ୭ ଲକ୍ଷ ନିବେଶକ ସେମାନଙ୍କର ଅର୍ଥ ଫେରସ୍ତ ନେଇ କ୍ଲେମ କରିପାରିବେ । ପୋର୍ଟାଲ ମାଧ୍ୟମରେ ୧୦ କୋଟି ଲୋକଙ୍କୁ ଅର୍ଥ ଫେରସ୍ତ କରାଯିବ ।
ତେବେ ଏହି ଅର୍ଥ ଫେରସ୍ତ ପାଇଁ କ୍ଲେମ କରିବାକୁ ହେଲେ ଆପଣଙ୍କର ମୋବାଇଲ ନମ୍ବର ଆଧାର ନମ୍ବର ସହିତ ଲିଙ୍କ ହୋଇଥିବା ଜରୁରୀ । ଏଥିସହିତ ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ଆବଶ୍ୟକ । ଆଧାର ଲିଙ୍କ ହୋଇନଥିଲେ ଆପଣ ଅର୍ଥ ଫେରସ୍ତ ପାଇଁ କ୍ଲେମ କରିପାରିବେ ନାହିଁ । ଏହାଛଡ଼ା ସାହାରା ଯୋଜନା ସମ୍ପର୍କିତ ନିବେଶ ରସିଦ୍ ଆପଣଙ୍କ ପାଖରେ ରହିଥିବା ଆବଶ୍ୟକ । କ୍ଲେମ ଫର୍ମ ସହିତ ଆପଣଙ୍କୁ ବିନିଯୋଗ ଯୋଜନାର ରସିଦ୍ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ । ଯଦି ଆପଣଙ୍କର କ୍ଲେମ ୫୦ ହଜାରରୁ ଅଧିକ ହୋଇଥିବ ତେବେ ପାନ କାର୍ଡ ନମ୍ବର ଓ ଏହାର ସ୍କାନ କପି ଅପଲୋଡ୍ କରିବାକୁ ପଡ଼ିବ ।