fbpx

ଜୁଲାଇ ୧ରେ ଓଟିଇଟି ପରୀକ୍ଷା: କଟକ, ଭୁବନେଶ୍ୱରକୁ ଛାଡି ବାକି ସମସ୍ତ ଜିଲ୍ଲାର ପରୀକ୍ଷା କେନ୍ଦ୍ରକୁ ପଠାଗଲା ପ୍ରଶ୍ନପତ୍ର

Advertisement

ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା- ଓଟିଇଟି-୨୦୨୨ର ଦୁଇଟା ଯାକ ପେପର୍‍ ଲାଗି ପରୀକ୍ଷା ଆସନ୍ତା ଜୁଲାଇ ୧, ଶନିବାର ଦିନ ଅନୁଷ୍ଠିତ ହେବ । କଟକ, ଭୁବନେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ବାକି ସମସ୍ତ ଜିଲ୍ଲାର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଛି । ପ୍ରଶ୍ନପତ୍ରଗୁଡ଼ିକୁ ଡିଜିଟାଲ ଲକରରେ ରଖାଯାଇଛି ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି । ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସଦର ମହକୁମା ଏବଂ କେତେକ ଜିଲ୍ଲାର ସବ୍‍ଡିଭିଜନରେ ପ୍ରଶ୍ନପତ୍ର ପହଞ୍ଚିବ । କଟକ ଓ ଭୁବନେଶ୍ୱରରେ ୩୨ଟି ଓଟିଇଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

ପୂର୍ବାହ୍ଣ ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମ ପତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ଚାଲିବ। ଏଥିନିମନ୍ତେ ଗତ ୨୩ ତାରିଖଠାରୁ ଅନ୍‌‌ଲାଇନ୍‌‌ରେ ଆଡ୍‌‌ମିଟ୍‌‌ କାର୍ଡ ପରୀକ୍ଷାର୍ଥୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଡ୍‌‌ମିଟ୍‌‌ କାର୍ଡ ପାଇବା ପରେ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ଦିନରେ ପରୀକ୍ଷା ଥିବାବେଳେ ବହୁ ଦୂରତ୍ୱ ବ୍ୟବଧାନରେ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ପଡ଼ିଥିବାରୁ ପରୀକ୍ଷାର୍ଥୀମାନେ ଏହାର ପ୍ରତିବାଦ କରିଛନ୍ତି। ଏନେଇ କିଛି ପରୀକ୍ଷାର୍ଥୀ ମୁଖ୍ୟମନ୍ତ୍ରୀ, ‘୫-ଟି’ ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଟ୍ୱିଟ୍‌‌ କରି ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.