fbpx

ଇମରାନଙ୍କ ଉପରେ ଆକ୍ରମଣ ପରେ ଇସଲାମାବାଦରେ ଲାଗିଲା ଲକଡାଉନ୍: ଶାହବାଜ ସରକାରଙ୍କ ନିର୍ଦ୍ଦେଶ

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମରାନ ଖାନଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସିଲ୍ କରିଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ଲକଡାଉନ୍ ରହିବ ବୋଲି ଶାହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଇସଲାମାବାଦରେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ ।

ତେବେ ଇମରାନଙ୍କୁ ଗୁଳିମାଡ଼ ପରେ ମାତିଛନ୍ତି ସମର୍ଥକ । ଇସଲାମାବାଦରେ ଉତ୍ତେଜନା ଦେଖି ଲକଡାଉନ୍ ଲାଗିଛି । ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ।

ସୂଚନା ମୁତାବକ, ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ୍ ଖାନଙ୍କ ଉପରେ ଗତକାଲି ହୋଇଥିଲା ଗୁଳିମାଡ଼। ସରକାରରରେ ଥିବା ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଇମ୍ରାନ୍ ଆଜାଦୀ ଯାତ୍ରା କରୁଥିଲେ। ଏହାରି ମଧ୍ୟରେ ଇମ୍ରାନ୍ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି । ତେବେ ଆକ୍ରମଣକାରୀକୁ ସ୍ଥାନୀୟ ପୋଲିସ ଗିରଫ କରିଛି। ପାକିସ୍ତାନ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣକ ଇମ୍ରାନ୍ ଖାନଙ୍କ ହତ୍ୟା କରିବାକୁ ଆସିଥିଲା।

Get real time updates directly on you device, subscribe now.