ପାକିସ୍ତାନର ଶାସକ କିଏ ହେବ ନିଷ୍ପତ୍ତି ରବିବାର, ଇସ୍ତଫା ଦେବି ନାହିଁ…ଶେଷ ବଲ୍ ପର୍ଯ୍ୟନ୍ତ ଲଢିବି: ଇମ୍ରାନ 

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ନିଜର ସମ୍ବୋଧନ ସମୟରେ କହିଛନ୍ତି ପାକିସ୍ତାନ ପାଇଁ ଆଜି ହେଉଛି ନିଷ୍ପତ୍ତିର ଘଡି। ସେ କହିଛନ୍ତି, ପାକିସ୍ତାନ ମୋଟଠୁ କେବଳ ପାଞ୍ଚ ବର୍ଷ ବଡ। ଆମେ ଏଠାକାର ପ୍ରଥମ ପିଢି। ମୁଁ ପାକିସ୍ତାନ ନୀତିକୁ ଜାଣି ଆସିଛି।

ଇମ୍ରାନ କହିଛନ୍ତି, ପାକିସ୍ତାନର ନିଷ୍ପତ୍ତି ରବିବାର ହେବ। ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବ ଯେ, ପାକିସ୍ତାନର କ୍ଷମତାରେ କିଏ ବସିବ। ମାତ୍ର ଯିଏ କହୁଛି ଇମ୍ରାନଙ୍କୁ ଇସ୍ତଫା ଦେଇ ଦେବା ଉଚିତ୍, ସେମାନେ ଜାଣି ରଖନ୍ତୁ ଇମ୍ରାନ ଶେଷ ବଲ୍ ପର‌୍ୟ୍ୟନ୍ତ ମଇଦାନରେ ରହିଛି ଏବଂ ରହିବ।

ଇମ୍ରାନ ଖାନ କହିଛନ୍ତି, ଆମେରିକାର ବୋଲକରା ହେବା ମୁଶାରଫଙ୍କ ବଡ ଭୁଲ୍ ଥିଲା। ମୁଁ ସ୍ଵାଧୀନ ବିଦେଶ ନୀତିର ପକ୍ଷଧର। ପାକିସ୍ତାନ ଆମେରିକା ସହିତ ଲଢିଛି, କିନ୍ତୁ ସେହି ଦେଶ ଆମକୁ କଟକଣା ଲଗାଇ ଦେଇଛି। ମୁଁ ଭାରତ ଏବଂ ଅନ୍ୟ କୌଣସି ଦେଶକୁ ବିରୋଧ କରୁ ନାହିଁ। ଆମର ବୈଦେଶିକ ନୀତି କାହା ବିରୋଧରେ ନଥିଲା। ମୁଁ ଭାରତ ବିପକ୍ଷରେ ତେବେ ଯାଇ ମୁହଁ ଖୋଲିଲି ଭାରତ ଯେବେ ଜାମ୍ମୁ- କାଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କଲା।

ଇମ୍ରାନ ନିଜ ସମ୍ବୋଧନରେ କହିଛନ୍ତି, ଯେବେ ମୁଁ କ୍ଷମତା ସମ୍ଭାଳିଲି, ପ୍ରଥମ ଦିନରୁ ହିଁ ମୁଁ ଏମିତି ବୈଦେଶିକ ନୀତି ଲାଗୁ କଲି ଯାହା ପାକିସ୍ତାନ ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିଲା। ପାକିସ୍ତାନ ଲୋକଙ୍କ ଏହା ଅର୍ଥ ନୁହେଁ ଯେ, ଆମ ଅନ୍ୟ କଉ ଦେଶ ସହ ଶତ୍ରୁତା କରିବା ବୋଲି ଇମ୍ରାନ କହିଛନ୍ତି।