fbpx

ପାୟଲ ରୋହତଗୀ ପୁଣି ଗିରଫ, ହତ୍ୟା ଧମକ ମହଙ୍ଗା ପଡ଼ିଲା

ମୁମ୍ବାଇ(ଓଡ଼ିଶା ଭାସ୍କର): ସର୍ବଦା ବିବାଦରେ ରହୁଥିବା ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ ହୋଇଛନ୍ତି । ନିଜ ସୋସାଇଟିର ଚେୟାରମ୍ୟାନଙ୍କୁ ହତ୍ୟା ଧମକ ଦେଇଥିବା କାରଣରୁ ପାୟଲଙ୍କୁ ପୋଲିସ୍ ଗିରଫ କରିଛି । ସୋସିଆଲ ମିଡିଆରେ ପାୟଲ୍ ନିଜ ସୋସାଇଟିର ଚେୟାରମ୍ୟାନ୍ଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ବିବାଦ ବଢିବାରୁ ପୋଷ୍ଟଟି ଡିଲିଟ୍ କରି ଦେଇଥିଲେ ପାୟଲ । ୨୦ ଜୁନରେ ପାୟଲ ରହୁଥିବା ସୋସାଇଟିରେ ଏଜିଏମ୍ ବୈଠକ ହୋଇଥିଲା । ଏଜିଏମ୍ର ସଦସ୍ୟ ନଥିଲେ ହେଁ ଜବରଦସ୍ତି ପାୟଲ ବୈଠକରେ ଯୋଗ ଦେବାକୁ ପ୍ରୟାସ କରିଥିଲେ । ଏହାକୁ ବିରୋଧ କରିବାରୁ ପାୟଲ ସମସ୍ତଙ୍କୁ ଗାଳିଗୁଲଜ କରିବା ସହିତ ସୋସିଆଲ ମିଡିଆରେ ହତ୍ୟା ଧମକ ଦେଇଥିଲେ । ଅଭିଯୋଗ ପରେ ଅହମଦାବାଦ ସାଟେଲାଇଟ ପୋଲିସ ପାୟଲଙ୍କୁ ଗିରଫ କରିଛି ।

ସର୍ବଦା ବିବାଦରେ ରହିବାକୁ ପସନ୍ଦ କରୁଥିବା ପାୟଲ ଏହା ପୂର୍ବରୁ ମଧ୍ୟ ଗିରଫ ହୋଇ ସାରିଛନ୍ତି । ୨୧ ସେପ୍ଟେମ୍ବର ୨୦୧୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ନାମରେ ଅଶାଳୀନ ଟିପ୍ପଣୀ ପାଇଁ ପାୟଲ ଗିରଫ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ସଫେଇ ଦେଇ ପାୟଲ କହିଛନ୍ତି, ସୋସାଇଟିର ଚେୟାରମ୍ୟାନ୍ ସର୍ବଦା ଗୁଣ୍ଡାଗିରି କରିଥାନ୍ତି । ଏହାକୁ ବିରୋଧ କରିବାରୁ ତାଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରାଯାଇଥିବା ପାୟଲ ମତ ଦେଇଛନ୍ତି ।

Get real time updates directly on you device, subscribe now.