fbpx

ଶିବ ପାର୍ବତୀଙ୍କ ବୁଲେଟରୁ ସରିଗଲା ପେଟ୍ରୋଲ: ଶିବଙ୍କୁ ଧରିଲା ପୋଲିସ

Advertisement

ନୂଅଦିଲ୍ଲୀ: ଭଗବାନ ଶିବ ଓ ପାର୍ବତୀ ଉଭା ହୋଇଛନ୍ତି ରୟାଲ ଏନଫିଲ୍ଡ ବୁଲେଟରେ । ଆଉ ବୁଲେଟରେ ଯାତ୍ରା କରୁଥିବା ସମୟରେ ପେଟ୍ରୋଲ ସରି ଯିବାରୁ ରୁଷି ଯାଇଥିଲେ ପାର୍ବତୀ । ଏନେଇ ଦୁଇଜଣଙ୍କ ମଧ୍ୟରେ ଦେଖାଯାଇଥିଲା ବିବାଦ । ତେବେ ଏଭଳି ଏକ ଘଟଣା ଆସାମର ନୌଗାୱ ସହରରେ ଦେଖାଯାଇଛି ।

ଶିବ ପାର୍ବତୀ ବେଶ ଧରି ଦୁଇ ଜଣ ଯୁବକ ଓ ଯୁବତୀ ବୁଲେଟରେ ଯାତ୍ରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଯାତ୍ରା କରୁଥିବା ସମୟରେ ହଠାତ ବୁଲେଟରେ ପେଟ୍ରୋଲ ସରିଯିବାରୁ ଦୁଇଜଣଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା । ବିବାଦ ଏତେ ବଢିଥିଲା ଯେ ପେଟ୍ରୋଲ ସମସ୍ୟାରୁ ଏହା ଦେଶର ଦରଦାମ ବୃଦ୍ଧି ପର୍ଯ୍ୟନ୍ତ ପହଞ୍ଚିଥିଲା । ଶିବ-ପାର୍ବତୀ ବେଶରେ ଥିବା ମହିଳା ଓ ଯୁବକଙ୍କ ମଧ୍ୟରେ ହୋଇଥିବା ବିବାଦକୁ କେନ୍ଦ୍ରକରି ହିନ୍ଦୁ ସଂଗଠନ ତରଫରୁ ଥାନାରେ ଏକ ଅଭିଯୋଗ କରାଯାଇଛି । ହିନ୍ଦୁ ଦେବାଦେବୀଙ୍କର ଅପମାନ ହୋଇଥିବା ନେଇ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି । ମାମଲା ବଢିବାରୁ ଶିବ ରୂପୀ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି ।

ଶିବ ରୂପ ଧାରଣ କରିଥିବା ଯୁବକ ଜଣକ ବ୍ରିନିଚା ବୋରା ହୋଇଥିବା ବେଳେ ପାର୍ବତୀ ରୂପ ଧାରଣ କରିଥିବା ମହିଳା ହେଉଛନ୍ତି ପରୀସ୍ମିତା ଦାଶ । ତେବେ ଏହି କଳାକାରମାନେ ଏକ ନାଟକ ପ୍ରଦର୍ଶନ କରିଥିଲେ ଯେଉଁଥିରେ ଲୋକମାନଙ୍କର ପ୍ରତ୍ୟେକ ଦିନର ସମସ୍ୟା ପ୍ରଦର୍ଶନ କରାଯାଇଥିଲା । ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ କଳାକାରମାନେ ହିନ୍ଦୁ ଦେବାଦେବୀଙ୍କ ଚରିତ୍ରକୁ ଆପଣାଇ ଥିଲେ । ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ଉଭୟ ଏହି ନାଟକ ପ୍ରଦର୍ଶନ କରିଥିଲେ ।

ହିନ୍ଦୁ ଦେବାଦେବୀଙ୍କ ଚରିତ୍ରକୁ ନେଇ ଏହି ନାଟକ ପ୍ରଦର୍ଶିତ ହୋଇଥିବାରୁ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳ ତରଫରୁ ପୋଲିସ ଥାନାରେ ଏକ ଏତଲା ଦିଆ ଯାଇଛି । ନୌଗାୱର ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରଦୀପ ଶର୍ମା କହିଛନ୍ତି ନାଟକରେ ଦେଖାଯାଇଥିବା ପ୍ରଦର୍ଶନକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଶିବ ପାର୍ବତୀଙ୍କ ଅବତାରକୁ ନେଇ ନାଟକ ପ୍ରଦର୍ଶନ ହୋଇଥିବାରୁ ଏହା ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅସମ୍ମାନ ଯାହାକୁ ସେ ତୀବ୍ର ବିରୋଧ କରିଛନ୍ତି ।

Get real time updates directly on you device, subscribe now.