fbpx

‘କେବଳ ଭାରତ ନୁହେଁ ପାକିସ୍ତାନ ଲାଗି ବି ଭଲ ମୋଦୀ’, ପାକ୍ ବିଜନେସ୍‌ମ୍ୟାନ କଲେ ଜୋରଦାର ପ୍ରଶଂସା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିବା ପରେ ନରେନ୍ଦ୍ର ମୋଦୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଜୁନ୍ ୯ ତାରିଖ ଅର୍ଥାତ୍ କାଲି ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ମନ୍ତ୍ରୀ ବି ଶପଥ ନେବେ । ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଚୟନ କରାଯିବା ନେଇ ଜଣେ ପାକିସ୍ତାନୀ ଆମେରିକୀୟ ବିଜନେସମ୍ୟାନ୍ ବେଶ୍ ଖୁସି ପ୍ରକଟ କରିଛନ୍ତି । ଏକ ବୟାନରେ ସେ ଭାରତର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ମୋଦୀ ପ୍ରଧାନମନ୍ତ୍ରୀ ହେବା କେବଳ ଭାରତ ପାଇଁ ନୁହେଁ ବରଂ ପୁରା ଦକ୍ଷିଣ ଏସିଆରେ ସ୍ଥିରତାର ଗ୍ୟାରେଣ୍ଟି ଦେଉଛି । ବିଜନେସମ୍ୟାନ୍ ସାଜିଦ ତରାର ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି ଓ ଭାରତର ସ୍ଥିରତା ବଜାୟ ରଖିବାରେ ଏବଂ ସମ୍ଭାବ୍ୟ ଅସ୍ଥିରତା ରୋକିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇଛନ୍ତି ।

ତରାର କହିଛନ୍ତି, ଭାରତର ଭବିଷ୍ୟତ ସ୍ଥିରତା ଲାଗି ମୋଦୀଙ୍କ ନେତୃତ୍ୱର ଆବଶ୍ୟକତା ରହିଛି । ରାଜନୈତିକ ହଟଚମଟକୁ ରୋକିବା ଲାଗି ଓ ଦେଶର ସମ୍ବିଧାନକୁ ବଜାୟ ରଖିବା ଲାଗି ସେ ଜଣେ ମଜଭୁତ ନେତା । ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ଜନତା ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ଆସିବ ବୋଲି ଆଶା କରୁଛନ୍ତି ।

ତେବେ ମୋଦୀଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇ ନ ଥିବାରୁ ନିରାଶା ଭାବ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସରିଫ ସାମିଲ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.