fbpx

ସରକାରଙ୍କ ଉପରେ ବୋଝ ବଢାଇଲା ବିଜୁଳି ସଙ୍କଟ, ୧.୯ କୋଟି ଟନ କୋଇଲା ଆମଦାନୀ କରିବ ଭାରତ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ବିଜୁଳି ଚାହିଦା ବଢି ଯାଇଛି। ଅନ୍ୟପଟେ କୋଇଲା ଅଭାବ କାରଣରୁ ବିଜୁଳି ସଙ୍କଟ ଉତ୍ପନ ହୋଇଛି। ପ୍ରଭାବରେ ଅନେକ ରାଜ୍ୟରେ ଅଘୋଷିତ ବିଜୁଳି କାଟ କରାଯାଉଛି। ସ୍ଥିତିର ମୁକାବିଲା ପାଇଁ ସରକାର କୋଇଲା ଆମଦାନୀ ବଢାଇବା ଉପରେ ବିଚାର କରୁଛନ୍ତି। ଭାରତ ଜୁନ ମାସ ସୁଦ୍ଧା ୧.୯ କୋଟି ଟନ କୋଇଲା ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଦୁନିଆର ଦ୍ଵିତୀୟ ସବୁଠୁ ବଡ କୋଇଲା ଆମଦାନୀକାରୀ ଦେଶ। ବିଜୁଳି ବ୍ୟବହାର ବଢୁଥିବାରୁ ସରକାର ବିଦେଶରୁ କୋଇଲା ଆମଦାନୀ କରିବେ। ଫଳରେ କେନ୍ଦ୍ର ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିବ।

ରୟଟର୍ସର ରିପୋର୍ଟ ମୁତାବକ ଏପ୍ରିଲରେ ଭୟଙ୍କର ଗରମ କାରଣରୁ ଭାରତରେ ଗତ ଛଅ ବର୍ଷରେ ଭୟଙ୍କର ବିଜୁଳି ସଙ୍କଟ ଉତ୍ପନ ହୋଇଛି। ଏପ୍ରିଲ ମାସରେ ବିଜୁଳି ଚାହିଦା ୧୩.୬ ପ୍ରତିଶତ ବଢି ୧୩୨.୯୮ ବିଲିୟନ ୟୁନିଟରେ ପହଞ୍ଚିଛି। ଗତ ବର୍ଷ ଠିକ୍ ଏହି ସମୟରେ ଦେଶରେ ବିଜୁଳି ୧୧୭.୦୮ ବିଲିୟନ ୟୁନିଟ୍ ଆବଶ୍ୟକ ପଡିଥିଲା। ରିପୋର୍ଟ ଅନୁଯାୟୀ ଝାଡଖଣ୍ଡରେ ପ୍ରାୟ ୧୨ ପ୍ରତିଶତ କମ ବିଜୁଳି ଉତ୍ପାଦନ ହେଉଛି। ଝାଡଖଣ୍ଡ ସହିତ ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡ ପରି ରାଜ୍ୟଗୁଡିକରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଦେଶରେ ମୋଟ୍ ୧୫୦ ତାପଜ କେନ୍ଦ୍ର ମଧ୍ୟରୁ ୮୮ଟି ପ୍ଲାଣ୍ଟରେ କୋଇଲା ସଙ୍କଟ ଦେଖା ଦେଇଛି। ଅର୍ଥାତ ବର୍ତ୍ତମାନ ଦେଶର ୬୦ ପ୍ରତିଶତ ତାପଜ କେନ୍ଦ୍ରରେ କୋଇଲା ଅଭାବ ଦେଖା ଦେଇଛି। ଯେଉଁ ୮୮ ତାପଜ କେନ୍ଦ୍ରରେ କୋଇଲାର ଅଭାବ ରହିଛି ସେଥିରୁ ୪୨ ରାଜ୍ୟ ସରକାର, ୩୨ ଘରୋଇ, ୧୨ କେନ୍ଦ୍ର ସରକାର ଏବଂ ୨ ଜଏଣ୍ଟ ବେଞ୍ଚର ଅଧିନରେ ରହିଛି।

 

Get real time updates directly on you device, subscribe now.