fbpx

ଶଙ୍ଖ ଧରିବେ ପ୍ରଦୀପ ମାଝୀ, କହିଲେ- ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ପଡିବ

Advertisement

ନବରଙ୍ଗପୁର : ଯାହା କଳ୍ପନା ଜଳ୍ପନା କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । କିଛି ଦିନ ତଳେ କଂଗ୍ରେସ ଛାଡିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି । ରବିବାର ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମାଝୀ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି । ପ୍ରଦୀପ ମାଝୀ ଦଳ ଛାଡିବା କଂଗ୍ରେସକୁ ଝଟକା ଲାଗିବା ପରେ ଏବେ ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରୁ ଅନେକ କଂଗ୍ରେସ ନେତା ଏବଂ କର୍ମକର୍ତ୍ତା କଂଗ୍ରେସ ଛାଡୁଛନ୍ତି ବୋଲି ପ୍ରଦୀପ ଘୋଷଣା କରିଛନ୍ତି । ଏଥିସହ ଦକ୍ଷିଣ ଓଡିଶାରେ କଂଗ୍ରେସକୁ ଆହୁରି ଶକ୍ତ ଝଟକା ଲାଗିଛି ।

ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମାଝୀ କହିଛନ୍ତି ଯେ, ସେ ବିଜେଡିରେ ମିଶିବାକୁ ଯାଉଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ କରିବାକୁ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ପଡିବ । ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ । ଅନ୍ୟପଟେ ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାର ସଫଳ ହୋଇଛି । ପ୍ରତି ନିର୍ବାଚନରେ ଅଧିକ ସଂଖ୍ୟାରେ ଆସନ ଜିତି ଦେଶରେ ଇତିହାସ ରଚିଛି ବୋଲି ପ୍ରଦୀପ କହିଛନ୍ତି ।

ସେ କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ୍ ହୁଅନ୍ତୁ ବୋଲି ପ୍ରଦୀପ ଆହ୍ୱାନ ଦେଇଛନ୍ତି । ଏଥିସହ କଂଗ୍ରେସ ଦଳର ଅନେକ ନେତା ଏବଂ କର୍ମକର୍ତ୍ତା ଦଳ ଛାଡିଥିବା ସେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥିରେ କଂଗ୍ରେସକୁ ଆହୁରି ଜୋରଦାର ଝଟକା ଲାଗିବାକୁ ଯାଉଛି । କାରଣ ଦକ୍ଷିଣ ଓଡିଶାରେ ପ୍ରଦୀପ ମାଝୀ କଂଗ୍ରେସର ଜଣେ ଟାଣୁଆ ଏବଂ ବରିଷ୍ଠ ନେତା ଥିଲେ । ସେ ଦଳ ଛାଡିବା ପରେ ତାଙ୍କ ସମର୍ଥକ ନେତା ଏବଂ କର୍ମକର୍ତ୍ତା ମଧ୍ୟ କଂଗ୍ରେସ ଛାଡିଛନ୍ତି ।

ସୂଚନାଯୋଗ୍ୟ, ଅକ୍ଟୋବର ୨୨ ତାରିଖରେ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କୁ ପଠାଇଥିଲେ । ସେ କହିଥିଲେ, କଂଗ୍ରେସରେ ରହି ସେ ଲୋକଙ୍କ ସେବା କରି ପାରିବେ ନାହିଁ । ସେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ । ଅନେକ ଥର କଂଗ୍ରେସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ ଆସିଥିଲେ । ଦଳ ପ୍ରତି ତାଙ୍କର ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଥିଲା । ସେହି ସମୟରୁ କଳ୍ପନା ଜଳ୍ପନା କରାଯାଉଥିଲା ଯେ, ପ୍ରଦୀପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ।

Get real time updates directly on you device, subscribe now.