ଓଡ଼ିଶା ଭାସ୍କର: ଦେଶରେ ବିଭିନ୍ନ ପ୍ରକାର ମନ୍ଦିର ରହିଛି । ଏହି ମନ୍ଦିର ସହ ଭିନ୍ନ ଭିନ୍ନ ପରମ୍ପରା ଓ ଲୋକକଥା ଜଡ଼ିତ । ଆଜି ଆମେ କଥା ହେବା ବିହାରରେ ସ୍ଥିତ ଏପରି ଏକ ମନ୍ଦିର ବିଷୟରେ ଯେଉଁଠାରେ ମହିଳାମାନଙ୍କୁ ପ୍ରସାଦ ଖାଇବା ପାଇଁ ବାରଣ ରହିଛି । ଏହି ମନ୍ଦିରରେ ଭକ୍ତିଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ବିହାର ଜମୁଇ ଜିଲ୍ଲା ସୋନୋ ପ୍ରଖଣ୍ଡ କ୍ଷେତ୍ର ସ୍ଥିତ ବାବା ଝୁମରାଜ ମନ୍ଦିର । ଏହି ମନ୍ଦରର ସ୍ଥାପନା ପଛରେ ଏକ ରୋଚକ କାହାଣୀ ରହିଛି । ମନ୍ଦିରର ପୂଜାରୀ ତାଲେୱର ସିଂଙ୍କ କହିବାନୁଯାୟୀ ଏକଦା ହରିଦ୍ୱାରର କିଛି ପୂଜାରୀଙ୍କ ଦଳ ଏହି ସ୍ଥାନ ଦେଇ ଯାତ୍ରା କରୁଥିଲେ । ତେବେ ଦଳରେ ସବୁଠାରୁ ପଛରେ ଥିବା ପୂଜାରୀଙ୍କୁ ବାଘ ଆକ୍ରମଣ କରି ହତ୍ୟା କରିଥିଲା । ଉକ୍ତ ପୂଜାରୀ ଜଣଙ୍କୁ ତାଙ୍କ ସାଥିମାନେ ସେହି ଅବସ୍ଥାରେ ଛାଡ଼ି ଦେଇ ଚାଲିଯାଇଥିଲେ । କିଛି ଦିନ ପରେ ଜଣେ ଚାଷୀ ସେହି ସ୍ଥାନରେ ଚାଷ କରିବା ପାଇଁ ଆସିଥିବା ବେଳେ ପୂଜାରୀଙ୍କ କଙ୍କାଳକୁ ଦେଖିଥିଲା । ସେ ପୂଜାରୀଙ୍କ କଙ୍କାଳକୁ ଏକତ୍ର କରି ପୋଡ଼ିବା ପରେ ଚାଷ କାର୍ଯ୍ୟ ପାଇଁ ଭୂମି ସଫା କରି ମହୁଲ ଚାଷ କରିଥିଲେ । କିଛି ଦିନ ପରେ ଫସଲର ଅମଳ ପରେ ସେ ଘରକୁ ଚାଲିଗଲେ । ତା’ ପର ଦିନ ତାଙ୍କ କ୍ଷେତରେ ପୁଣି ମହୁଲ ଫସଲ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଚାଷୀ ଜଣଙ୍କ ପୁଣି ଥରେ ଫସଲ ଅମଳ କରି ଘରକୁ ନେଇଗଲେ । ଏପରି ଘଟଣା କିଛି ଦିନ ପର୍ଯ୍ୟନ୍ତ ଚାଲିଲା । ସନ୍ଦେହ ଦୂର କରିବା ପାଇଁ ସେ ପୂଜାର୍ଚ୍ଚନା କରିଥିଲେ । ପରେ ମୃତ ପୂଜାରୀ ଜଣଙ୍କ ଆତ୍ମା ପ୍ରକଟ ହୋଇ ତାଙ୍କୁ ସବୁ କଥା କହିଥିଲେ । ଏହା ପରେ ଗ୍ରାମବାସୀମାନେ ସେହି ସ୍ଥାନରେ ମାଟିର ଏକ ଛୋଟ ପିଣ୍ଢା ସ୍ଥାପନ କରି ପୂର୍ଜାର୍ଚ୍ଚନା ଅରମ୍ଭ କରିଥିଲେ । ସେହି ପରମ୍ପରା ଆଜି ପର୍ଯ୍ୟନ୍ତ ବି ଜାରି ରହିଛି ।
ପରବର୍ତ୍ତୀ ସୟରେ ସେଠାରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଗଲା । ଏହି ମନ୍ଦିରରେ ମୁଖ୍ୟତଃ ଖାସିମାନଙ୍କୁ ବଳି ଦିଆଯାଇ ପ୍ରସାଦ ଭାବରେ ସେବନ କରାଯାଏ । କେବଳ ପୁରୁଷମାନେ ହିଁ ପ୍ରସାଦ ସେବନ କରିପାରିବେ । ଏହା ବ୍ୟତୀତ ଅବଶିଷ୍ଟ ପ୍ରସାଦ ଘରକୁ ନେବା ପାଇଁ ବାରଣ କରାଯାଇଛି । କୁହାଯାଏ ଏହି ପ୍ରସାଦ ଯେଉଁଠି ପ୍ରସ୍ତୁତ ହୋଇଥାଏ କେବଳ ସେହି ସ୍ଥାନରେ ହିଁ ସେବନ କରିବା ଉଚିତ । ଏଭଳି ପରମ୍ପରା ପଛରେ କ’ଣ କାରଣ ରହିଛି ତାହା ଆଜି ବି ଅସ୍ପଷ୍ଟ । ଏହା ବ୍ୟତୀତ ବାବା ଝୁମରାଜଙ୍କୁ ଅପର୍ଣ କରାଯାଉଥିବା ଅନ୍ୟାନ୍ୟ ନରାମିଷ ପ୍ରସାଦ ମହିଳାମାନେ ସେବନ କରିପାରିବେ । ଏହି ମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ବାବା ଝୁମରାଜ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି ।