ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ‘ସାଇକିୟାଟ୍ରିକ ସୋସିଆଲ ୱାର୍କର’ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକସନ ସେଣ୍ଟର୍ସ (ଡିଏସି) ପାଇଁ ଷ୍ଟେଟ ସର୍ଭିସର ‘ଗ୍ରୁପ-ବି’ରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ଏପ୍ରିଲ ମାସ ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୫ ତାରିଖରେ ସମାପ୍ତ ହେବ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ଖାଲି ରହିଛି । ମୋଟ ୧୩ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ସୋସିଆଲ ୱାର୍କରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ କରିଥିବେ ଓ ସାଇକିୟାଟ୍ରିକ ସୋସିଆଲ ୱାର୍କରେ ମାଷ୍ଟର ଅଫ୍ ଫିଲୋସଫି କରିଥିବେ । ଦୁଇ ବର୍ଷିଆ ଫୁଲ୍ ଟାଇମ୍ କୋର୍ସ ସମାପ୍ତ ପରେ ଏହି ଶିକ୍ଷା ଗ୍ରହଣ କରିଥିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟରୁ ସୁପରଭାଇଜ୍ କ୍ଲିନିକାଲ ଟ୍ରେନିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ଆବଶ୍ୟକ ।