ନୂଆଦିଲ୍ଲୀ: ଦେଶରେ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳକୁ ନେଇ ରେଳ ବିଭାଗ ଏକ ବଡ଼ ଯୋଜନା କରିଛି । ଆସନ୍ତା ମାସରେ ଦେଶରେ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଗଡ଼ିବ । ଆସନ୍ତାମାସରେ ହରିୟାଣାର ଜିନ୍ଦ-ସୋନିପତ୍ ରୁଟରେ ଏହ।।ର ଟ୍ରାଏଲ୍ ରନ୍ କରାଯିବ । ୯୦ କିଲୋମିଟର ଟ୍ରାକରେ ଏହାର ଟ୍ରାଏଲ ରନ୍ ସଫଳ ହେଲେ ଆସନ୍ତା ୨୦୨୫ ସୁଦ୍ଧା ଏଭଳ ୩୫ଟି ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ କରାଯିବ ବୋଲି ରେଲୱେ ପକ୍ଷରୁ ଯୋଜନା କରାଯାଇଛି । ୨୦୩୦ ସୁଦ୍ଧା ଦେଶକୁ ଶୂନ୍ୟ-ଅଙ୍ଗାରକ ନିର୍ଗମନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏଡି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଜର୍ମାନୀ, ଚୀନ ପରେ ଭାରତରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଗଡ଼ିବ ।
ଏହି ହାଇଡ୍ରୋଜେନ ରେଳ ଇଞ୍ଜିନକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରାଯାଇ ଡିଜାଇନ୍ କରାଯାଇଛି । ତାମିଲନାଡ଼ୁର ଇଣ୍ଟିଗ୍ରାଲ କୋଚ କାରଖାନା ଦ୍ୱାରା ବିକଶିତ ହୋଇଥିବା ଏହି ହାଇଡ୍ରୋଜେନ ଚାଳିତ ଟ୍ରେନ ଉନ୍ନତ ଇନ୍ଧନ କୋଷ ବ୍ୟବହାର କରି କାର୍ଯ୍ୟ କରିବ । ଉଦଯାନ ଓ ଅମ୍ଲଯାନର ମିଶ୍ରଣ ଫଳରେ ଉତ୍ପନ ହେଉଥିବା ବିଦ୍ୟୁତ ଶକ୍ତି ଦ୍ୱାରା ଏହି ଟ୍ରେନ ଚାଲିଥାଏ । ଏଥିରୁ ଧୂଆଁ ନ ବାହାରି ଜଳୀୟବାଷ୍ପ ବାହାରିଥାଏ । ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମିତ ଏହି ହାଇଡ୍ରୋଜେନ ଟ୍ରେନ୍ ଆଦୌ ବାୟୁ ପ୍ରଦୂଷଣ କରିନଥାଏ । ଘଣ୍ଟା ପ୍ରତି ୧୪୦ କିମି ବେଗରେ ଏହି ଟ୍ରେନ ଚାଲିବ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ଚାଲୁଥିବା ଟ୍ରେନଗୁଡ଼ିକ ବିଦ୍ୟୁତ ଓ ଡିଜେଲ ଇନ୍ଧନ ଦ୍ୱାରା ଚାଲୁଛି । ହାଇଡ୍ରୋଜେନ ବ୍ୟବହାର କରିବା ଫଲରେ ଡିଜେଲରୁ କାର୍ବନ ନିର୍ଗମନକୁ ରୋକିବା ସମ୍ଭବ ହୋଇପାରିବ, ଫଲରେ ତାହା ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହେବ ।