RBI ୮ଟି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା: ଆପଣଙ୍କର ଆକାଉଣ୍ଟ କେଉଁ ବ୍ୟାଙ୍କରେ ଅଛି

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ନିୟମ ଉଲ୍ଲଂଘନ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଉଛି । କିଛି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଉଛି । ସାଧାରଣ ଭାବେ ଗୋଟିଏ ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହେବା ଫଳରେ ଉକ୍ତ ବ୍ୟାଙ୍କର ଗ୍ରାହକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏପରି ସ୍ଥିତିରେ ଗ୍ରାହକମାନେ ବ୍ୟାଙ୍କରେ ନେଣଦେଣ କରିବାରୁ ବଞ୍ଚିତ ହୋଇଥାନ୍ତି ।

ତେବେ ଏହା ମଧ୍ୟରେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଆରବିଆଇ ପକ୍ଷରୁ ୮ଟି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି । ଯଦି ଆପଣଙ୍କର ଆକାଉଣ୍ଟ କୌଣସି କୋ-ଅପରେଟିଭ୍ ବ୍ୟାଙ୍କରେ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ । ଗତ ମାର୍ଚ୍ଚ ମାସ ୩୧ ତାରିଖରେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ସମାପ୍ତ ହୋଇସାରିଥିବା ବେଳେ ଆରବିଆଇ ପକ୍ଷରୁ ୮ଟି କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଦିଆଯାଇଛି ।

ତେବେ ଏହି ବ୍ୟାଙ୍କଗୁଡ଼ିକ ଆରବିଆଇର ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ଜଣାପଡ଼ିଥିଲା । ଏହି ବ୍ୟାଙ୍କଗୁଡ଼ିକ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ୧୧୪ ଥର ପେନାଲଟି ଲଗାଇଥିଲା । ଏଥିସହିତ ଏହି ବ୍ୟାଙ୍କଗୁଡ଼ିକରେ କିଛି ଅନିୟମିତତା ରହିଥିବା ମଧ୍ୟ ଜଣାପଡ଼ିଥିଲା । ତେବେ ଲାଇସେନ୍ସ ବାତିଲ ହୋଇଥିବା ଆଠଟି ବ୍ୟାଙ୍କ ମଧ୍ୟରେ ମୁଧୋଲ କୋ-ଅପରେଟିଭ୍ ବ୍ୟାଙ୍କ, ମିଲଥ କୋ-ଅପରେଟିଭ୍ ବ୍ୟାଙ୍କ, ଶ୍ରୀ ଆନନ୍ଦ କୋ-ଅପରେଟିଭ୍ ବ୍ୟାଙ୍କ, ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ, ଡେକ୍କନ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ, ଲକ୍ଷ୍ମୀ କୋ-ଅପରେଟିଭ୍ ବ୍ୟାଙ୍କ, ସେବା ବିକାସ କୋ-ଅପରେଟିଭ୍ ବ୍ୟାଙ୍କ ଓ ବାବାଜୀ ଦାତେ ମହିଲା କୋ-ଅପରେଟିଭ୍ ବ୍ୟାଙ୍କ ରହିଛି ।