fbpx

ନା ସେ ଅଧିନାୟକ ଅଛନ୍ତି ନା ସେ କୋଚ୍ ! ୭ ଖେଳାଳି ଫାଇନାଲ ଟେଷ୍ଟରୁ ବାଦ୍, ଇଂଲଣ୍ଡରେ ରୋହିତଙ୍କ ଅଗ୍ନିପରୀକ୍ଷା

Advertisement

ନୂଆଦିଲ୍ଲୀ: ଜୁଲାଇ ୧ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏକ ମାତ୍ର ଟେଷ୍ଟ ମ୍ୟାଚ୍। ଏହି ଟେଷ୍ଟ ୨୦୨୧ ସିରିଜରେ ଅଧୁରା ରହି ଯାଇଥିଲା। ଭାରତୀୟ ଦଳ ଶିବିରରେ କରୋନା ବିସ୍ଫୋରଣ ପରେ ଶେଷ ମୁକାବିଲାକୁ ସ୍ଥଗିତ ରଖାଯାଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏହି ଅଧୁରା ସିରିଜ୍ ପୂରା କରିବା ପାଇଁ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି। ଗତ ବର୍ଷ ତୂଳନାରେ ଭାରତୀୟ ଦଳର ପୂରା ଚିତ୍ର ବଦଳି ଯାଇଛି। ଫାଇନାଲ୍ ମ୍ୟାଚ୍ ପାଇଁ ନା ସେ ଅଧିନାୟକ ଅଛନ୍ତି ନା ସେହି କୋଚିଂ ଷ୍ଟାଫ। ଗତ ଥର ଯେଉଁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଆସିଥିଲା, ସେଥିରୁ ସାତ ଖେଳାଳି ଏଥର ଦଳରେ ନାହାନ୍ତି। ଏମିତିରେ ରୋହିତ ଶର୍ମାଙ୍କ ପରିସ୍ଥିତି ସେତେଟା ସହଜ ହେବ ନାହିଁ।

୨୦୨୧ରେ ଯେଉଁ ଦଳ ଇଂଲଣ୍ଡ ଗସ୍ତ କରିଥିଲା, ସେହି ସମୟରେ ଅଧିନାୟକ ଥିଲେ ବିରାଟ କୋହଲି ଏବଂ ମୁଖ୍ୟ କୋଚ୍ ଥିଲେ ରବି ଶାସ୍ତ୍ରୀ। ପ୍ରଥମ ଚାରୋଟି ମ୍ୟାଚରେ ଦଳର ଉପ ଅଧିନାୟକ ଥିଲେ ଆଜିଙ୍କ୍ୟ ରାହାଣେ। ମାତ୍ର କୋହଲି ଏବେ ଅଧିନାୟକ ପଦରୁ ଇସ୍ତଫା ଦେଇ ସାରିଛନ୍ତି ଏବଂ ରବି ଶାସ୍ତ୍ରୀଙ୍କ କାର‌୍ୟ୍ୟକାଳ ପୂରା ହୋଇ ସାରିଛି। ଆଉ ଆଜିଙ୍କ୍ୟ ରାହାଣେ ଖରାପ ଫର୍ମ କାରଣରୁ ଦଳ ବାହାରେ ଅଛନ୍ତି।

ଏଥର ଅଧିନାୟକ ଦାୟିତ୍ଵ ରୋହିତ ଶର୍ମାଙ୍କ ଉପରେ ରହିଛି। ଆଉ ମୁଖ୍ୟ କୋଚ୍ ଅଛନ୍ତି ରାହୁଲ ଦ୍ରାବିଡ। କେଏଲ ରାହୁଲ ଟେଷ୍ଟ ସିରିଜରୁ ବାଦ୍ ପଡିବା ପରେ ଉପ ଅଧିନାୟକ ଦାୟିତ୍ଵ ଋଷଭ ପନ୍ତଙ୍କୁ ମିଳିପାରେ। ଗତ ବର୍ଷ ଇଂଲଣ୍ଡ ଗସ୍ତରେ ଆସିଥିବା ଭାରତୀୟ ଦଳର ୭ ଖେଳାଳି ଏଥର ଫାଇନାଲ୍ ମ୍ୟାଚ୍ ପାଇଁ ଦଳରେ ନାହାନ୍ତି। ସେଥିରେ ଅଛନ୍ତି ଆଜିଙ୍କ୍ୟ ରାହାଣେ ସମେତ ଇଶାନ୍ତ ଶର୍ମା, ପୃଥ୍ଵୀ ଶ, ସୂର‌୍ୟ୍ୟକୁମାର ଯାଦବ, ଅଭିମନ୍ୟୁ ଈଶ୍ଵରନ, ମୟଙ୍କ ଅଗ୍ରଓ୍ଵାଲ ଏବଂ ଋଦ୍ଧିମାନ ଶାହ। ତାଙ୍କ ସ୍ଥାନରେ ଶ୍ରେୟସ ଆୟର, କେଏସ ଭରତ ଏବଂ ଶୁଭମାନ ଗିଲଙ୍କ ପରି ଖେଳାଳିଙ୍କୁ ସାମିଲ୍ କରାଯାଇଛି। ଏଥର କେଏଲ ରାହୁଲଙ୍କ ଭାବେ ବଡ ଚେହେରା ଦଳରୁ ଗାଏବ ରହିଛି। ରାହୁଲ ଶେଷ ଟେଷ୍ଟ ପାଇଁ ଦଳରେ ଥିଲେ ହେଲେ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି।

ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ ୧-୨ରେ ହାରିବା ପରେ ବିରାଟ କୋହଲି ଟେଷ୍ଟ ଅଧିନାୟକ ଛାଡି ଦେଇଥିଲେ। ଏହା ପରେ ରୋହିତ ଶର୍ମା ତିନୋଟି ଫର୍ମାଟରେ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିଛି। ଉକ୍ତ ସିରିଜରେ ଭାରତ ଶ୍ରୀଲଙ୍କାକୁ କ୍ଲିନ ସୁଇପ୍ କରିଛି। ଏବେ ବିଦେଶ ମାଟିରେ କମାଲ କରିବାର ସମୟ ଆସିଛି। ଏହି ଗସ୍ତ ରୋହିତ ଶର୍ମାଙ୍କ ପାଇଁ କୌଣସି ଅଗ୍ନିପରୀକ୍ଷାଠୁ କମ୍ ନୁହେଁ।

 

Get real time updates directly on you device, subscribe now.