ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିଲା ଫ୍ଲାଇଟ୍‌; ହଠାତ୍ ଜଣେ ଯାତ୍ରୀ ଚିତ୍କାର କଲେ ମୋ ସିଟ୍ ତଳେ ବମ୍ ରହିଛି, ଆଉ ତା’ପରେ..

ମୁମ୍ବାଇ: ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ଏକ ଫ୍ଲାଇଟ୍‌ରେ ସେତେବେଳେ ହଙ୍ଗାମା ହୋଇଥିଲା ଯେତେବେଳେ ୨୭ ବର୍ଷର ଜଣେ ଯାତ୍ରୀ ଚିତ୍କାର କରିଥିଲେ କି ମୋ ସିଟ୍ ତଳେ ବମ୍ ରହିଛି । ଯାତ୍ରୀ ଏହା କହିବା ପରେ ଏଜେନ୍ସୀ ଆଲର୍ଟ ମୋଡ୍‌ରେ ଆସିଯିବା ସହ ଫ୍ଲାଇଟରେ ଆତଙ୍କ ଖେଳିଯାଇଥିଲା ।

ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ଫ୍ଲାଇଟ୍‌ରେ ଯାତ୍ରା କରୁଥିବା ୨୭ ବର୍ଷୀୟ ମୋହମ୍ମଦ ଅୟୁବ କହିଥିଲେ କି ତାଙ୍କ ସିଟ୍ ତଳେ ବମ୍ ରଖାଯାଇଛି । ଏହାପରେ ସମସ୍ତ ଏଜେନ୍ସୀ ଯାଞ୍ଚରେ ଲାଗି ପଡିଥିଲେ । ଘଟଣାର ସୂଚନା ମିଳିବା ପରେ ଫ୍ଲାଇଟର ଉଡାଣ ସମୟ ବଦଳାଇ ଦିଆଗଲା ଓ ସେହି ଫ୍ଲାଇଟ୍‌କୁ ପୁରା ଯାଞ୍ଚ କରାଗଲା ।

ଜଣେ ଅଧିକାରୀ କହିଛନ୍ତି ଯାଞ୍ଚ ସମୟରେ କୌଣସି ବି ସନ୍ଦେହଜନକ ବସ୍ତୁ ମିଳି ନ ଥିଲା । ମିଳିଥିବା ସୂଚନାରୁ ଜଣାପଡିଛି ଇଣ୍ଡିଗୋର ଫ୍ଲାଇଟ୍ ନଂ 6E 5264 ରେ ବସିଥିବା ଜଣେ ଯାତ୍ରୀ ଏପରି କହିଥିଲେ । ଏବେ ଏୟାରପୋର୍ଟ ପୋଲିସ ସେହି ଯାତ୍ରୀଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୫୦୬(୨) ଓ ୫୦୫(୧) (ବି) ଜରିଆରେ ମାମଲା ରୁଜୁ କରିଛି । ତେବେ ଯାତ୍ରୀ ଜଣକ ଏପରି କାହିଁକି କଲେ ତାହା ଏବେ ପୋଲିସ ଯାଞ୍ଚ କରୁଛି ।