ଦୁର୍ଘଟଣାରେ ଚାଲିଗଲା ପ୍ରାଣ ଆଉ ରାତିସାରା ଶବ ଉପରେ ଚାଲୁଥିଲା ଗାଡ଼ି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରୀବାରେ । ଯେଉଁଠାରେ ଜଣେ ଅଜଣା ଶବ କ୍ଷତ ବିକ୍ଷତ ଅବସ୍ଥାରେ ହାଇୱେରେ ପଡ଼ିଥିବାର ମିଳିଥିଲା । ରାତିସାରା ଶବ ଉପରେ ଗାଡ଼ି ଚଢ଼ି ଯାଆସ କରୁଥିଲେ ବି କେହି ଜାଣିପାରିନଥିଲେ । ସକାଳେ ଯାତାୟତ କରୁଥିବା ଲୋକମାନେ ନରକଙ୍କାଳ ପଡ଼ିଥିାର ଦେଖିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରନାହିଁ । ଏଥିପାଇଁ ଫରେନସିକ୍ ଟିମର ସାହାଯ୍ୟ ନିଆଯାଉଛି ।
ମାମଲା ରୀବ ଜିଲ୍ଲା ମୁଖ୍ୟାଳୟ ଠାରୁ ୩୦ କିମି ଦୂରରେ ରାଷ୍ଟ୍ରୀୟ ରାଜମାର୍ଗ ମନଗୱା ଫ୍ଲାଏଓଭରଠାରେ ଦେଖିବାକୁ ମିଳିଥିଲା । ଏହି ରାସ୍ତା ପ୍ରୟାଗରାଜ ଏବଂ ବନାରସକୁ ସଂଯୋଗ କରୁଛି । ଅନୁମାନ କରାଯାଉଛି ଯେ ଗାଡ଼ି ତଳେ ଚାପି ହୋଇଯିବାରୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଆଉ ମୃତ୍ୟୁ ପରେ ଶବଟି ରାସ୍ତା ଉପରେ ପଡ଼ିରହିଥିଲା, ଆଉ ଶବ ଉପରେ ଯିବା ଆସିବା କରୁଥିଲା ଗାଡ଼ି । ଶବର ଅବସ୍ଥା ଏପରି ଥିଲା ଯେ ପୋଲିସକୁ ଶବ ଉଠାଇବା ପାଇଁ କୋଦାଳ ସାହାଯ୍ୟ ନେବାକୁ ପଡ଼ିଥିଲା । ଶବଟି ପୁରୁଷ ନା ମହିଳା ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ଫରେନସିକ୍ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି ।