ମୁମ୍ବାଇ: ଭେଟେରାନ୍ ଆକ୍ଟର ଜୁନିୟର ମହମ୍ମୁଦଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଦିନ ଥିଲା ସେ ଅଧିକାଂଶ ଚଳଚ୍ଚିତ୍ରରେ ନଜର ଆସୁଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗମ୍ଭୀର । ସେ ଷ୍ଟେଜ୍ ୪ ଯକୃତ ଏବଂ ଫୁସ୍ଫୁସ୍ କ୍ୟାନସରରେ ପୀଡ଼ିତ । ଏହି ସମୟରେ ବଲିଉଡ଼ର ଜଣାଶୁଣା କଳାକାରମାନେ ତାଙ୍କୁ ଭେଟିଥିବାର ଜଣାପଡ଼ିଛି । ନିକଟରେ ବଲିଉଡ଼ର ଲୋକପ୍ରିୟ ହାସ୍ୟ ଅଭିନେତା ଜନି ଲିଭର ତାଙ୍କୁ ଭେଟିଥିଲେ । ସେତେବେଳେ ତେବେ ଜୁନିୟର ମହମ୍ମୁଦ ଜିତେନ୍ଦ୍ରଙ୍କ ସହ ଭେଟ କରିବା ପାଇଁ ତାଙ୍କ
ଇଚ୍ଛା ବ୍ୟକ୍ତ କରିଥିଲେ ।
କହିରଖୁଛୁ ନଭେମ୍ବରରେ ଜୁନିୟର ମହମ୍ମୁଦଙ୍କ ରୋଗ ବିଷୟରେ ଜଣାପଡ଼ିଲା ପରେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ସେ ଘରେ ଅଛନ୍ତି । ଏହି ଅବସ୍ଥାରେ ସେ ତାଙ୍କ ସହ- କଳାକାର ଏବଂ ବନ୍ଧୁ ଜିତେନ୍ଦ୍ର ଓ ପିଲାଦିନର ସାଙ୍ଗ ସଚିନ୍ ପିଲଗାୱଙ୍କରଙ୍କୁ ଭେଟିବା ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ । ତେବେ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇବା ପାଇଁ ଜିତେନ୍ଦ୍ର ଓ ସଚିନ୍ ତାଙ୍କ ଘରେ ପହଂଚିଥିଲେ । ତାହା ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା ।
‘ମୁଁ ତାଙ୍କ ପାଖରେ ଥିଲି କିନ୍ତୁ ସେ ମୋତେ ଚିହ୍ନି ପାରି ନଥିଲେ । ଜୁନିୟର ମହମ୍ମୁଦଙ୍କୁ ଏତେ ଯନ୍ତ୍ରଣା ହେଉଥିଲା ଯେ ସେ ଆଖି ବି ଖୋଲିପାରୁ ନଥିଲେ । ତାଙ୍କୁ ଏହି ଅବସ୍ଥାରେ ଦେଖି ମୋ ହୃଦୟକୁ କଷ୍ଟ ହୋଇଥିଲା ’ ବୋଲି ଜିତେନ୍ଦ୍ର ଛଳଛଳ ଆଖିରେ କହିଥିଲେ । ଏହା ପୂର୍ବରୁ ବି ଅନେକ କଳାକାର ଜୁନିୟର ମହମ୍ମୁଦଙ୍କୁ ଭେଟିଥିଲେ । ସେ ଦୁର୍ବଳ ଅବସ୍ଥାରେ ଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ନଭେମ୍ବର ୧୫, ୧୯୫୬ ମସିହା ମୁମ୍ବାଇରେ ଜୁନିୟର ମହମ୍ମୁଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକୃତ ନାଁ ନଇମ୍ ସୈୟଦ । ମାତ୍ର ୯ ବର୍ଷ ବୟସରେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ସେ ୭ଟି ଅଲଗା ଅଲଗା ଭାଷାରେ ୨୬୫ଟି ଚଳଚ୍ଚିତ୍ରରେ କାମ କରିବା ସହ ୬ଟି ମରାଠି ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ ।