ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଶେଷ ହେଉଥିବା ବେଳେ ଖୁବଶୀଘ୍ର ଆସିବାକୁ ଯାଉଛି ସମ୍ଭାବ୍ୟ ତୃତୀୟ ଲହର । ଏହାରି ମଧ୍ୟରେ ଆମେରିକାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ‘କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ବିଶ୍ୱର ସ୍ଥିତି ଅଧିକ ବିଗିଡ଼ିପାରେ । ବିନେସୋଟା ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ମାଇକେଲ ଓଷ୍ଟହୋଲମ୍ କହିଛନ୍ତି ଯେ, ଡେଲ୍ଟା ଭାରିଆଣ୍ଟ ନିଜର ପ୍ରଚଣ୍ଡ ରୂପ ଦେଖାଇପାରେ । ଫଳରେ ସାରା ବିଶ୍ୱରେ ବହୁ ସଂଖ୍ୟକ ଆଇସିୟୁ ବେଡର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଏକ ବାର୍ତ୍ତାଳାପରେ ଓଷ୍ଟହୋଲମ୍ କହିଛନ୍ତି ଯେ – ‘ଭାଇରସର ଏହି ଭାରିଆଣ୍ଟ ଅଧିକ ସଂକ୍ରାମକ । ଆପଣ ଚାହିଁଲେ ବି ଏହା କବଳରୁ ରକ୍ଷା ପାଇବେ ନାହିଁ । ଶେଷରେ ଏହା ଆପଣଙ୍କୁ ସଂକ୍ରମିତ କରିବ । କରୋନାରୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ଟିକାକରଣ । ଯଦି ଆପଣ ଗୁରୁତର ସଂକ୍ରମଣରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଜେ ଟିକା ନେବା ସହ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରନ୍ତୁ ।’