ବୈଜ୍ଞାନିକ ତିଆରି କଲେ ମସ୍ତିଷ୍କ ଓ ସ୍ପନ୍ଦିତ ହୃତ୍ପିଣ୍ଡ ଥିବା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୂଣ, ଚାଲିଛି ଅଧିକ ଗବେଷଣା
ନୂଆଦିଲ୍ଲୀ: କେମ୍ପ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମସ୍ତିଷ୍କ, ସ୍ପନ୍ଦିତ ହୃତ୍ପିଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ପାଇଁ ମୂଳାଧାର ବା ‘ବିଲଡିଙ୍ଗ୍ ବ୍ଲକ୍’ ଥିବା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୂଣ ନିର୍ମାଣ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି । ମୂଷା ଶରୀରର କାଣ୍ଡ କୋଷିକା ବା ‘ଷ୍ଟେମ୍ ସେଲ୍’ରୁ ଉକ୍ତ ଭ୍ରୂଣ ସଞ୍ଚାର କରାଯାଇଛି ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ।
ଗଣମାଧ୍ୟମ ପାଇଁ ବିଶ୍ୱ ବିଦ୍ୟାଳୟରୁ ପ୍ରକାଶିତ ବିବୃତିରେ ଉଲ୍ଲେଖ ଅଛି, ଡିମ୍ବାଣୁ ଏବଂ ଔରସ ପରିବର୍ତ୍ତେ ପ୍ରଫେସର ମ୍ୟାଗ୍ଡାଲିନା ଜେର୍ଣ୍ଣିକା-ଗୋଜ୍ ଶରୀର କାଣ୍ଡ କୋଷିକା ବ୍ୟବହାର କରି ଉକ୍ତ ଭ୍ରୂଣ ତିଆରି କରିଛନ୍ତି । ଏହି କାଣ୍ଡ କୋଷିକାକୁ ଯେକୌଣସି ପ୍ରକାର ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଆବଶ୍ୟକ କୋଷିକାର ରୂପ ଦେଇ ହେବ । ଆଦିମ ସ୍ତନ୍ୟପାୟୀ ଜୀବଙ୍କ ଶରୀରରେ ଥିବା ୩ଟି ଭିନ୍ନ ପ୍ରକାରର କାଣ୍ଡକୋଷିକାକୁ ଗବେଷଣାଗାରରେ ରଖି ଏଭଳି ଅବସ୍ଥାକୁ ଅଣାଯାଇଛି ଯାହାଦ୍ୱାରା ସେଗୁଡ଼ିକ ପ୍ରାକୃତିକ ପ୍ରକ୍ରିୟାକୁ ଅନୁସରଣ କରି ପରସ୍ପର ସହିତ ଭାବବିନିମୟ କଲେ ବୋଲି ସେଥିରେ ଉଲ୍ଲେଖ ଅଛି ।
ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଗୁଣସୂତ୍ର ଉତ୍ପାଦନ କରାଇ ଓ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରି ଗବେଷକମାନେ କାଣ୍ଡକୋଷିକାଗୁଡ଼ିକୁ ପରସ୍ପର ସହିତ ଭାବବିନିମୟ କରାଇବାକୁ ସମର୍ଥ ହୋଇଛନ୍ତି । ଆମେ ପ୍ରସ୍ତୁତ କରିଥିବା ମୂଷା ଭ୍ରୂଣରେ କେବଳ ମସ୍ତିଷ୍କ ନୁହେଁ, ସ୍ପନ୍ଦନ କରୁଥିବା ହୃତ୍ପିଣ୍ଡ, ସମ୍ପୂର୍ଣ୍ଣ ଶରୀର ନିର୍ମାଣ ହେବା ପାଇଁ ଆବଶ୍ୟକ ଉପାଦାନ ମଧ୍ୟ ରହିଛି ବୋଲି ସେଥିରେ କୁହାଯାଇଛି । ପ୍ରଫେସର ମ୍ୟାଗ୍ଡାଲିନା ଜେର୍ଣ୍ଣିକା-ଗୋଜ୍ କହନ୍ତି, ଆମେ ଏମିତି କରିପାରିଛୁ ବୋଲି ବିଶ୍ୱାସ କରିାରୁନୁ । ବର୍ଷ ବର୍ଷ ଧରି ଏହା ଥିଲା ଆମ ଟିମ୍ର ପରିକଳ୍ପନା ଏବଂ ବହୁ ଦଶନ୍ଧି ଧରି ଚାଲିଥିବା ଆମ କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ । ପରିଶେଷରେ ଆମେ ତାହା ସାକାର କରିପାରିଛୁ ।