fbpx

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର! ଚଳିତ ଶିକ୍ଷାବର୍ଷରୁ ମହାବିଦ୍ୟାଳୟରେ ବୃଦ୍ଧି ପାଇବ ସିଟ୍‍

Advertisement

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନରେ ଥିବା ମୋଟ୍‍ ୮୦ଟି ଯୁକ୍ତ ୨ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ସିଟ୍‍ ବୃଦ୍ଧି କରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୩୬ଟି  ମହାବିଦ୍ୟାଳୟରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ମହାବିଦ୍ୟାଳୟ ଗୁଡ଼ିକରେ ନୂଆ ପାଠ୍ୟକ୍ରମ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ତେବେ ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ପାଇଁ ଏହି ଆବେଦନ ଚାଲିଛି। ସିଏଚଏସଇର ‘ସାମ୍ସ’ ୱେବସାଇଟରେ ଏନେଇ ଆବେଦନ ହେଉଛି।

ସିଏଚଏସଇର ସୂଚନା ଅନୁସାରେ ଜୁଲାଇ ୬ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଏଥିରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ବିଷୟ ଓ ସେମାନଙ୍କ ମନପସନ୍ଦର କଲେଜ ପାଇଁ ଆବେଦନ କରିପାରିବେ। ଏହାପରେ ଜୁଲାଇ ୧୮ ତାରିଖରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ।

ମେରିଟ ଲିଷ୍ଟ ମୁତାବିକ ଜୁଲାଇ ୧୯ ତାରିଖରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ନାମଲେଖା ଚାଲିବ। ଏହାପରେ ଦ୍ଵିତୀୟ ମେରିଟ ଲିଷ୍ଟ ବାହାରିବ।

ଏଥର ଓଡ଼ିଶାରେ ମୋଟ ୨ ହଜାର ୧୨୧ଟି କଲେଜର ୫ ଲକ୍ଷ ୨୫ ହଜାର ୪୬୫ଟି ସିଟରେ ଯୁକ୍ତ ୨ ନାମଲେଖା ହେବ। ଏଥିରୁ କଳାରେ ସର୍ବାଧିକ କଳାରେ ୨ ଲକ୍ଷ ୯୪ ହଜାର ୮୪୦ଟି ସିଟ୍‌ ରହିଛି। ସେହିପରି ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ ହଜାର ୧୦୪ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ଟି ସିଟରେ ନାମଲେଖା କରିବାକୁ ନିଷ୍ପତ୍ତି ହୋଇଛି।

Get real time updates directly on you device, subscribe now.