fbpx

ସ୍ପୁଟନିକ୍‌-ଭି ଉତ୍ପାଦନ ଅନୁମତି ମାଗିଲା ସେରମ୍‌

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବେ ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା “ସ୍ପୁଟନିକ୍‌-ଭି’ର ଉତ୍ପାଦନକରିବାକୁ ମନସ୍ଥ କରିଛି । ସ୍ପୁଟନିକ୍‌-ଭି ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି । ଡା.ରେଡ୍ଡି ଲ୍ୟାବକୁ ଏହାର ଉତ୍ପାଦନ ଦାୟିତ୍ୱ ମିଳିଛି ।

ତେବେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ଏହାର ଉତ୍ପାଦନ କରିବାକୁ ଚାହୁଁଥିବା ଏବଂ ଏଥିାଇଁ ଅନୁମତି ଦେବାକୁ ଡିସିଜିଆଇକୁ ଅବଗତ କରାଇଛି । ସ୍ପୁଟନିକ୍‌-ଭି ଟିକାର ଟେଷ୍ଟ ଆନାଲିସିସ୍‌ ପାଇଁ ବି ଅନୁମତି ମାଗିଛି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ଯଦି ଡିସିଜିଆଇ ପକ୍ଷରୁ ଅନୁମତି ମିଳେ ତେବେ ସେରମ୍‌ ଏହାର କ୍ଲିନିକାଲ ଟ୍ରାଏଲ ଭାରତରେ କରିପାରେ । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଜୁନ୍‌ ମାସରେ ୧୦ କୋଟି କୋଭିସିଲ୍ଡ ଟିକା ଉତ୍ପାଦନ କରିବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି । ଏଥିସହ ନୋଭାକ୍ସ ଟିକା ମଧ୍ୟ ସେରମ୍‌ ଉତ୍ପାଦନ କରୁଛି । ଏବେ ସେରମ୍‌ ସ୍ପୁଟନିକ୍‌-ଭି ଉତ୍ପାଦନ କରିବାକୁ ଆବେଦନ କରିଛି ।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସ୍ପୁଟନିକ ଭିର ମାର୍କେଟିଂ କରୁଥିବା ରୁଷିଆର ଆରଡିଆଇଏଫ ଭାରତରେ ଏହାର  ଉତ୍ପାଦନ ପାଇଁ ୬ଟି କମ୍ପାନୀ ସହ ଚୁକ୍ତି କରିଛି । ଏମାନଙ୍କ ମଧ୍ୟରେ ଡା ରେଡ୍ଡିଲ୍ୟାବ, ଗ୍ଲାଣ୍ଡ ଫାର୍ମା, ହେଟ୍ରୋ ବାୟୋଫାର୍ମା, ପାନେସିୟା ବାୟୋଟେକ, ଷ୍ଟେଲିସବାୟୋଫାର୍ମା ଓ ଭୀରକୋ ବାୟୋଟେକ ରହିଛନ୍ତି ।

ସୂଚନାଯୋଗ୍ୟ, ଡା ରେଡ୍ଡି ଲ୍ୟାବପ୍ରଥମ ଦଫାରେ ରୁଷରୁ ଆସୁଥିବା ସ୍ପୁଟନିକ ଭିର ଡୋଜ ପିଛା ଦାମ ୯୯୫ ରଖିଛି ।

Get real time updates directly on you device, subscribe now.