ଜୟପୁର : ନାରାୟଣ ଜଗଦୀଶନ(୧୦୨) ଦମଦାର ଶତକ ଏବଂ ଶାହରୁଖ ଖାନଙ୍କ ୭୯ ରନର ଧୂଆଁଧାର ଇନିଂସ ବଳରେ ତାମିଲନାଡୁ କର୍ଣ୍ଣାଟକକୁ ବିଜୟ ହଜାରେ ଟ୍ରଫିର କ୍ଵାର୍ଟର ଫାଇନାଲରେ ମଙ୍ଗଳବାର ୧୫୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ତାମିଲନାଡୁ ସେମି ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୫୪ ରନ କରିଥିଲା। ଜବାବରେ କର୍ଣ୍ଣାଟକ ୩୯ ଓଭରରେ ୨୦୩ ରନରେ ଅଲଆଉଟ୍ ହୋଇଛି।
ରଗୁପତି ସିଲବରାସନ ଆଠ ଓଭରରେ ୩୬ ରନ ଦେଇ ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି। କର୍ଣ୍ଣାଟକ ପକ୍ଷରୁ ଶ୍ରୀନିବାସନ ଭରତ ସର୍ବାଧିକ ୪୩ ରନ କରିଛନ୍ତି। ଷ୍ଟାର ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲ ଦ୍ଵିତୀୟ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରଠୁ କର୍ଣ୍ଣାଟକ ବିପର୍ଯ୍ୟୟରୁ ମୁକୁଳି ପାରିନଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୨୦୩ ରନରେ ଅଲଆଉଟ୍ ହୋଇଛି।
ଏହା ପୂର୍ବରୁ ଓପନିଂ ବ୍ୟାଟସମ୍ୟାନ ନାରାୟଣ ଜଗଦୀଶନ ୧୦୧ ବଲ୍ରୁ ୯ ଚୌକା ଓ ଏକ ଛକା ଜରିଆରେ ୧୦୨ ରନର ଦମଦାର ଇନିଂସ ଖେଳିଥିଲେ। ସାଇ କିଶୋର ୭୧ ବଲ୍ରୁ ଚାରି ଚୌକା ଓ ତିନି ଛକା ଜରିଆରେ ୬୧ ରନ କରିଥିବା ବେଳେ ଓ୍ଵିକେଟ୍ କିପର ଦିନେଶ କାର୍ତ୍ତିକ ୩୭ ବଲ୍ରୁ ଚାରି ଚୌକା ଓ ଦୁଇ ଛକା ଜରିଆରେ ୪୪ ରନ କରିଥିଲେ। ଶାହରୁଖ ଖାନ ପୁଣି ଥରେ ମାତ୍ର ୩୯ ବଲ୍ରୁ ସାତ ଚୌକା ଓ ଛଅ ଛକା ବଳରେ ଅପରାଜିତ ୭୯ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଫଳରେ ତାମିଲନାଡୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ବିଶାଳ ୩୫୪ ରନ କରିଥିଲା। କର୍ଣ୍ଣାଟକ ପକ୍ଷରୁ ପ୍ରବୀନ ଦୁବେ ଓ୦ ଓଭରରେ ୬୭ ରନ ଦେଇ ତିନୋଟି ଓ୍ଵିକେଟ୍ ନେଇଥିଲେ।