fbpx

ମୋ ରେକର୍ଡ ଭାଙ୍ଗୁ ଭାଙ୍ଗୁ ନିଜ ହାଡ ଭାଙ୍ଗି ନଦିଅନ୍ତୁ ଉମରାନ ମଲିକ: ସୋଏବ ଅଖତର

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଉମରାନ ମଲିକ ଆଇପିଏଲ ୨୦୨୨ରେ ନିଜ ଗତିରେ ସଭିଙ୍କୁ ଚକିତ କରିଛନ୍ତି। ନିୟମିତ ୧୫୦ କିମି ବେଗରେ ବୋଲିଂ କରୁଥିବା ଉମରାନ ଶୀଘ୍ର ଭାରତୀୟ ଦଳ ପକ୍ଷରୁ ଖେଳିବାର ଆଶା ରହିଛି। ଅନେକ ବରିଷ୍ଠ ଖେଳାଳିଙ୍କ କହିବା କଥା ଜମ୍ମୁ-କାଶ୍ମୀରର ଏହି ଦ୍ରୁତ ବୋଲର ଶୀଘ୍ର ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତରଙ୍କ ରେକର୍ଡ ଭାଙ୍ଗି ପାରନ୍ତି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଉମରାନ ଆଇପିଏଲ ୨୦୨୨ରେ ଏ ପର‌୍ୟ୍ୟନ୍ତ ଘଣ୍ଟା ପ୍ରତି ୧୫୭ କିମି ବେଗରେ ବୋଲିଂ କରି ସାରିଛନ୍ତି, ଯାହା ଆଇପିଏଲ ଇତିହାସରେ ଦ୍ଵିତୀୟ ସବୁଠୁ ଦ୍ରୁତ ବୋଲିଂ। ଉମରାନଙ୍କ ଗତି ଦେଖି ଏବେ ସୋଏବ ଅଖତରଙ୍କୁ ହଜମ ହେଉ ନାହିଁ।

ଅଖତର ଉମରାନଙ୍କ ସ୍ପିଡ ବିଷୟରେ କହିଛନ୍ତି, ସେ ଖୁସି ହେବେ ଯଦି ଭାରତୀୟ ଦ୍ରୁତ ବୋଲର ତାଙ୍କ ରେକର୍ଡ ଭାଙ୍ଗନ୍ତି। ସେ ଏହା ମଧ୍ୟ କହିଛନ୍ତି, ତାଙ୍କ ରେକର୍ଡ ଭାଙ୍ଗୁ ଭାଙ୍ଗୁ ଉମରାନ ନିଜର ହାଡ ଭାଙ୍ଗି ନଦିଅନ୍ତୁ। ଅଖତର ସ୍ପୋର୍ଟ୍ସକିଡାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ମୋର ବିଶ୍ଵ ରେକର୍ଡକୁ ୨୦ ବର୍ଷରୁ ଅଧିକ ସମୟ ହୋଇ ସାରିଛି। ଲୋକେ ଏହି ବିଷୟରେ ମୋ ସହ ଆଲୋଚନା କରନ୍ତି। ମୁଁ ଭାବୁଛି ଯେ କେହି ତ ବୋଲର ଥିବେ ଯିଏ ମୋ ରେକର୍ଡ ଭାଙ୍ଗିବେ। ମୁଁ ଖୁସି ହେବି ଯଦି ଉମରାନ ମୋ ରେକର୍ଡ ଭାଙ୍ଗନ୍ତି। କିନ୍ତୁ ମୋ ରେକର୍ଡ ଭାଙ୍ଗୁ ଭାଙ୍ଗୁ ଯେମିତି ନିଜର ହାଡ ଭାଙ୍ଗି ନଦିଅନ୍ତୁ ବୋଲି ସ୍ମିତ ହାସ୍ୟ ଦେଇ ଅଖତର କହିଛନ୍ତି।

ରାଓ୍ଵଲପିଣ୍ଡି ଏକ୍ସପ୍ରେସ୍ ନାମରେ ପ୍ରସିଦ୍ଧ ଅଖତରଙ୍କ ନାମରେ ୧୬୧.୩ କିଲୋମିଟର ବେଗରେ ବୋଲିଂ କରିବାର ବିଶ୍ଵ ରେକର୍ଡ ରହିଛି। ଅନ୍ୟପଟେ ଉମରାନ ଆଇପିଏଲ ୨୦୨୨ରେ ଏକ ମୁକାବିଲାରେ ୧୫୭ କିମି ବେଗରେ ବୋଲିଂ କରିଥିଲେ। ଏହା ଆଇପିଏଲର ଦ୍ଵିତୀୟ ଦ୍ରୁତତମ ବୋଲିଂ।

 

Get real time updates directly on you device, subscribe now.