କାଲି ମହାକାଶ ଯାତ୍ରା କରିବେନି ଶୁଭାଂଶୁ, ସାମ୍ନାକୁ ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୯ା୬: ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ଜୁନ୍ ୧୦ ଅର୍ଥାତ୍ ଆସନ୍ତାକାଲି(ମଙ୍ଗଳବାର) ଏକ ମହାକାଶ ମିଶନ ପାଇଁ ଉଡ଼ାଣ କରିବାର ଥିଲା। ତେବେ ଖରାପ ପାଗ ଯୋଗୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଆକ୍ସିୟମ-୪ ମିଶନକୁ ଜୁନ୍ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏହାର ସରକାରୀ ‘X’ ହ୍ୟାଣ୍ଡେଲରୁ ପୋଷ୍ଟ କରି ଏହି ସୂଚନା ଦେଇଛି। ISRO କହିଛି ଯେ, ନୂତନ ଉତକ୍ଷେପଣ ତାରିଖ ଜୁନ୍ ୧୧ ସନ୍ଧ୍ୟା ୫:୩୦ରେ ହେବ।

ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଯିବାରେ ପ୍ରଥମ ଭାରତୀୟ। ଶୁଭାଂଶୁଙ୍କ ଏହି ଯାତ୍ରା ୧୯୮୪ରେ ରାକେଶ ଶର୍ମାଙ୍କ ଯାତ୍ରାର ଚାରି ଦଶନ୍ଧି ପରେ ଘଟୁଛି। ସେ ରୁଷିଆର ସୋୟୁଜ୍ ମହାକାଶଯାନରେ ମହାକାଶ ଯାତ୍ରା କରିଥିଲେ। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଘୋଷଣା କରିଥିଲେ ଯେ, ଭାରତର ପୁଅ ଏବଂ ଝିଅମାନେ ବହୁତ ଶୀଘ୍ର ମହାକାଶକୁ ଯିବେ। ଏହା ପରେ ୨୦୧୯ରେ ଶୁକ୍ଲାଙ୍କୁ ISROର ମହାକାଶଚାରୀ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା।

ଆକ୍ସିୟମ-୪ ମିଶନ ହେଉଛି ଆମେରିକୀୟ ମହାକାଶ ସଂସ୍ଥା ନାସା ଏବଂ ଭାରତର ISROର ଏକ ମିଳିତ ପ୍ରୟାସ। ଆକ୍ସିୟମ-୪  ମିଶନର କ୍ରୁ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିବେ। ଏଠାରେ ସେ ପରୀକ୍ଷାଗାର ପରିକ୍ରମା ସହିତ ବିଜ୍ଞାନ, ପ୍ରସାର ଏବଂ ବାଣିଜ୍ୟିକ ପ୍ରୟାସ ଉପରେ ଧ୍ୟାନ କେନ୍ଦ୍ରିତ ମିଶନ କରିବେ। ଶୁଭାଂଶୁ ଶୁକ୍ଳାଙ୍କୁ ଜାନୁଆରୀ ୨୦୨୫ରେ NASA ଏବଂ ISROର X-4 ମିଶନ ପାଇଁ ପାଇଲଟ୍ ଭାବରେ ମନୋନୀତ କରାଯାଇଥିଲା।

ରିପୋର୍ଟ ଅନୁସାରେ, ଶୁଭାଂଶୁ ଶୁକ୍ଳା ଦେଶର ମହାକାଶ ଷ୍ଟାର୍ଟଅପ୍ ଅର୍ଥନୀତିକୁ ଚଲାଉଥିବା ଅସାଧାରଣ ପ୍ରତିଭାର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ମିଶନ ସମୟରେ ସେ ଜଣେ ପାଇଲଟ୍ ଭାବରେ କାମ କରିବେ। ସେ ସିଷ୍ଟମକୁ ମଧ୍ୟ ପରିଚାଳନା କରିବେ। ସେ କହିଥିଲେ, ‘ମୁଁ ଯାନ ନେଭିଗେଟ୍ କରିବି ଏବଂ ଉପଲବ୍ଧ ସମସ୍ତ ତଥ୍ୟ ଦେଖିବି।’