fbpx

ନୂଆବର୍ଷ ସହ ଜଡ଼ିତ ଅନ୍ଧବିଶ୍ୱାସ….ଲମ୍ବା ନୁଡ଼ୁଲ୍ସ୍ ସଫଳତାର ପ୍ରତୀକ

ନୂଆବର୍ଷ ସମସ୍ତଙ୍କ ମନରେ ଏକ ଅଲଗା ଉତ୍ସାହ ଭରିଥାଏ । ଗୋଟେ ନୂତନ ଉର୍ଜା ଓ ସକାରାତ୍ମକ ଭାବନା ସହ ଲୋକମାନେ ବିଭିନ୍ନ ଉପାୟରେ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠାରେ ଖାଦ୍ୟପେୟକୁ ନେଇ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ ପଚଳିତ । ସାଧାରଣତଃ ଇଂରାଜୀ ନୂଆ ବର୍ଷ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କିମ୍ବା ସେହି ଦିନ ଏହି ସବୁ ଅନ୍ଧବିଶ୍ୱାସର ପାଳନ କରାଯାଇଥାଏ । ତେବେ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତୁ ଜାଣିବା ସେ ବିଷୟରେ :

୧. ହେରିଙ୍ଗ୍ ମାଛ ଖାଇବାର ପରମ୍ପରା: ନର୍ଡ଼ିକ(Nordic) ଦେଶରେ ନୂଆ ବର୍ଷର ପ୍ରଥମ ଦିନରେ ହେରିଙ୍ଗ୍ ମାଛ ଖାଇବାର ପରମ୍ପରା ରହିଛି । ଏହି ମାଛ ଦେଖିବାକୁ ସିଲଭର ରଂଗର । ଏହାକୁ ଖାଇବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

୨. ଲମ୍ବା ନୁଡ଼ୁଲ୍ସ: ଜାପାନରେ ଲୋକମାନେ ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ ଚାଉମିନ୍ ଭଳି ଲମ୍ବା ନୁଡ଼ୁଲ୍ସରେ ପ୍ରସ୍ତୁତ ବ୍ୟଞ୍ଜନ ସେବନ କରିଥାନ୍ତି । ସେମାନଙ୍କ ବିଶ୍ୱାସ ଲମ୍ବା ନୁଡ଼ୁଲ୍ସ ଖାଇବା ଦ୍ୱାରା ଜୀବନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫଳତା ରହିଥାଏ ।

୩. ଡ଼ୋନଟ୍‌: ନେଦରଲ୍ୟାଣ୍ଡରେ ଡ଼ୋନଟ ଖାଇବାର ପରମ୍ପରା ବେଶ ପ୍ରଚଳିତ । ନୂଆବର୍ଷ ପାର୍ଟିରେ ଲୋକମାନେ ଡ଼ୋନଟ୍ ଖାଇଥାନ୍ତି ଯାହା ଅଧିକ ତେଲିଆ ଥାଏ । ଡ଼ୋନଟ୍ ଖାଇବା ପଛରେ ଲୋକମାନଙ୍କ ଅନ୍ଧବିଶ୍ୱାସ ରହିଛି ଯେ ନୂଆବର୍ଷ ଦିନ ପର୍‌ଚଟା ନାମକ ରାକ୍ଷସ ଆସିଥାଏ ଯିଏକି ନିଜ ଖଣ୍ଡାରେ ଲୋକମାନଙ୍କୁ ଟେକି ନେଇ ଖାଇଥାଏ । ତେବେ ତେଲିଆ ଡ଼ୋନଟ୍ ଖାଇବା ଦ୍ୱାରା ଖଣ୍ଡାରେ ଫସିବା ସହଜ ହୋଇ ନଥାଏ ଏବଂ ଜୀବନ ରକ୍ଷା ହୋଇଥାଏ ।

୪. କାହାକୁ ଧାରୁଆ ଜିନିଷ ଦେବା: ନୂଆବର୍ଷରେ କାହାକୁ ହାତରେ ଧାରୁଆ ଜିନିଷ ଯେପରି ଛୁରୀ, କଣ୍ଟା ଚାମଚ ଇତ୍ୟାଦି ଦିଆଯାଏ ନାହିଁ । ଏପରି କରିବା ଦ୍ୱାରା ସମ୍ପର୍କରେ ଡ଼ାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆବଶ୍ୟକ କ୍ଷେତ୍ରରେ ପାଖରେ ଥିବା ଟେବୁଲ ବା ତଳେ ଧାରୁଆ ଜିନିଷ ରଖିଦେଲେ ସାମ୍ନା ଲୋକ ତାହା ବ୍ୟବହାର ପାଇଁ ନେଇଥାଏ ।

୫. ଚିକେନ୍ ଖାଇବା: ଅନେକ ଦେଶରେ ଅନ୍ଧବିଶ୍ୱାସ ରହିଛି ଯେ ନୂଆବର୍ଷର ପ୍ରଥମ ଦିନରେ ଚିକେନ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହା ପଛରେ କାରଣ ରହିଛି ଯେ ପଙ୍ଖ ଥିବା ଜୀବ ମାଂଶ ସେବନ କରିବା ଦ୍ୱାରା ସେମାନେ ବ୍ୟକ୍ତିର ଭଲ ଭାଗ୍ୟକୁ ଦୁରେଇ ନେଇଥାନ୍ତି । କୁକୁଡ଼ା ଯେପରି ଖାଦ୍ୟ ସନ୍ଧାନ ସମୟରେ ମାଟିଗୁଡ଼ିକ ପଛକୁ କରିଥାଏ ସେହିପରି ଲୋକମାନଙ୍କ ପୂର୍ବ ବର୍ଷର ଦୁଃଖ ସେମାନଙ୍କ ପିଛା ଛାଡ଼ି ନଥାଏ ବୋଲି ଅନ୍ଧବିଶ୍ୱାସ ରହିଛି ।

୬. ସାମୁଦ୍ରିକ ଜୀବର ସେବନ କରିବା: ସମୁଦ୍ର ତଳେ ରହୁଥିବା ଜୀବ ଯେପରି କଙ୍କଡ଼ା, ଚିଙ୍ଗୁଡ଼ି ଇତ୍ୟାଦି ଖାଇବା ଉଚିତ ନୁହେଁ । ସାଧାରଣତଃ ଏହି ଜୀବମାନେ ସମୁଦ୍ର ତଳେ ଥିବା ମଇଳା ଖାଇଥାନ୍ତି । ନୂଆବର୍ଷରେ ଏହି ସବୁ ଖାଇବା ଦ୍ୱାରା ବର୍ଷ ସାରା ବ୍ୟକ୍ତି ଦୁଶ୍ଚିନ୍ତା ଓ ଖରାପ ସମୟ ଦେଇ ଗତି କରିଥାଏ ବୋଲି ଅନ୍ଧବିଶ୍ୱାସ ରହିଛି ।

୭. ବାସନ ଧୋଇବା: ନୂଆବର୍ଷର ପ୍ରଥମ ଦିନରେ ବାସନ ଧୋଇବା ଠାରୁ ଦୂରେଇ ରୁହନ୍ତୁ । କିଛି ଦେଶରେ ଏହା ଅନ୍ଧବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ବ୍ୟକ୍ତିର ଭଲ ଭାଗ୍ୟ ମଧ୍ୟ ଧୋଇ ହୋଇଯାଏ ।

୮. ମାତ୍ର ୧୨ଟା ଅଙ୍ଗୁର ଖାଇବା: ସ୍ୱେନ୍‌, ପର୍ତୁଗାଲ ଏବଂ ଅନ୍ୟ ଲାଟିନ୍ ଆମେରିକୀୟ ଦେଶରେ ନୂଆ ବର୍ଷର ଠିକ୍ ଗୋଟିଏ ଦିନ ପୂର୍ବରୁ ଲୋକମାନେ କେବଳ ୧୨ଟି ଅଙ୍ଗୁର ଖାଇଥାନ୍ତି । ନୂଆବର୍ଷର ପୂର୍ବ ରାତି ୧୨ଟା ହେଲା ମାତ୍ରେ ପ୍ରତି ସେକେଣ୍ଡରେ ୧୨ଟା ଅଙ୍ଗର ଖାଇବାକୁ ପଡ଼ିଥାଏ । ଲୋକମାନଙ୍କର ଅନ୍ଧବିଶ୍ୱାସ ରହିଛି ଯେଏପରି କରିବା ଦ୍ୱାରା ଆଗାମୀ ବର୍ଷ ଭଲରେ କଟିଥାଏ ।

 

Get real time updates directly on you device, subscribe now.