fbpx

ପାକିସ୍ତାନର ଖେଳନା ପାଲଟିଲା ତାଲିବାନ, ଭାରତକୁ ଦେଲା ଉପଦେଶ, କହିଲା…

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବଜା କରିବାର କିଛି ଘଣ୍ଟା ନହେଉଣୁ ତାଲିବାନ ଏବେ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଛି । ଏପରିକି ତାଲିବାନ ପାକିସ୍ତାନ ହାତର ଖେଳନା ପାଲଟି ଯାଇଛି ଏବଂ ଭାରତକୁ ଉପଦେଶ ଦେବା ଆରମ୍ଭ କରି ଦେଇଛି । ତାଲିବାନର ମୁଖପାତ୍ର ସୁହେଲ ଶାହିନ ଭାରତ ବିଷୟରେ ଆଲୋଚନା କରି କହିଛନ୍ତି, ତାଲିବାନ କୌଣସି ବି ଦେଶକୁ ଆଫଗାନିସ୍ତାନ ମାଟିର ବ୍ୟବହାର ଅନ୍ୟ କୌଣସି ଦେଶ ବିରୋଧରେ ହେବାକୁ ଦେବ ନାହିଁ । କିନ୍ତୁ ଆମେ ସେମାନଙ୍କ ଦ୍ୱାରା ହୋଇଥିବା ନିର୍ମାଣ କାମକୁ ପୂରା ସ୍ୱାଗତ କରୁଛୁ । ଯଦି ସେମାନେ ନିଜର ପ୍ରକଳ୍ପକୁ ପୂରା କରିବାକୁ ଚାହିଁବେ ତେବେ କରି ପାରିବେ । କାରଣ ଏହି ସବୁ ପ୍ରକଳ୍ପ ଜନତାଙ୍କ ହିତ ପାଇଁ ଉଦ୍ଦିଷ୍ଟ ବୋଲି ଶାହିନ କହିଛନ୍ତି ।

ତାଲିବାନର ଏହି ଭାଷାରୁ ସ୍ପଷ୍ଟ ଜଣା ପଡିଛି ଯେ, ସେ ପାକିସ୍ତାନର ମୁଖପତ୍ର ପାଲଟି ଯାଇଛି । ପାକିସ୍ତାନ ଅଭିଯୋଗ କରି ଆସିଛି ଯେ, ଭାରତ ଆଫଗାନିସ୍ତାନକୁ ବ୍ୟବହାର କରି ତା ଦେଶରେ ଆତଙ୍କୀ ଘଟଣା ଘଟାଉଛି । ଚୀନୀଙ୍କ ହତ୍ୟାରେ ମଧ୍ୟ ପାକିସ୍ତାନ କହିଥିଲା ଯେ, ଏଥିରେ ଭାରତ ଓ ଆଫଗାନିସ୍ତାନର ହାତ ରହିଛି । ଏଥିରୁ ସ୍ପଷ୍ଟ ଜଣା ପଡିଛି ଯେ, ପାକିସ୍ତାନର ଇଙ୍ଗିତରେ ହିଁ ତାଲିବାନ ଏମିତି ବିବୃତ୍ତି ରଖିଛି । ପାକିସ୍ତାନର ଚ୍ୟାନେଲ ହମ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ତାଲିବାନର ମୁଖପାତ୍ର ଭାରତକୁ ନେଇ କହିଛନ୍ତି, ଆମେ କୌଣସି ଦେଶ କିମ୍ବା ସଂଗଠନକୁ ଆଫଗାନିସ୍ତାନ ମାଟିକୁ ଅନ୍ୟ ବିରୋଧରେ ବ୍ୟବହାର ହେବାକୁ ଦେବୁ ନାହିଁ ।

ଶାହିନ କହିଛନ୍ତି, ଭାରତ ଆଫଗାନିସ୍ତାନରେ ବହୁତ ପ୍ରକଳ୍ପ ଉପରେ କାମ କରିଛି । ଯଦି ସେମାନରେ ଏହି ସବୁ ପ୍ରକଳ୍ପ ପୂରା କରିବାକୁ ଚାହାନ୍ତି ତେବେ କରି ପାରିବେ । କାରଣ ଏହା ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ । ଆଫଗାନିସ୍ତାନରେ ଅଶରଫ ଘନି ସରକାରର ପତନ ପରେ ତାଲିବାନ ପକ୍ଷରୁ ପ୍ରଥମ ଥର ଭାରତକୁ ନେଇ ଆନୁଷ୍ଠାନିକ ବୟାନ ଆସିଛି । ଭାରତ ବିଗତ କିଛି ଦିନରେ ତାଲିବାନର ଅନେକ ନେତା ଓ ଗୋଷ୍ଠୀ ସହ ଆଲୋଚନାର ଦ୍ୱାର ଖୋଲିଛି । ମାତ୍ର ଏ ପର୍ଯ୍ୟନ୍ତ ଭାରତ କାବୁଲରେ ତାଲିବାନକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇ ନାହିଁ । ଏହା ବ୍ୟତୀତ ମଙ୍ଗଳବାର ଭାରତ ସରକାର କାବୁଲରୁ ନିଜର ରାଜଦୂତ ଓ ଦୂତାବାସର ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ୱଦେଶ ଆଣିବାକୁ ଘୋଷଣା କରିଛି ।

Get real time updates directly on you device, subscribe now.