ପୁଣି ଫେରଲା କି ମହାମାରୀ? ୧୦ ହଜାର ଟପିଲା ପଜିଟିଭ କେସ୍, ଗୋଟିଏ ସ୍କୁଲରୁ ୩୭

ନୂଆଦିଲ୍ଲୀ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଦେଶରେ ୧୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୪୯ ଦିନ ଭିତରେ ଏହା ସର୍ବାଧିକ ବୋଲି ରେକର୍ଡ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ମହାରାଷ୍ଟ୍ରର ସଂକ୍ରମଣ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଏହା ସହିତ ଆକ୍ଟିଭ କେସ ୧୦ ହଜାର ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରବିବାର ଦେଶର କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୮୦୫ ରେକର୍ଡ କରାଯାଇଛି । ତେବେ ବିଶେଷ କରି ମହାରାଷ୍ଟ୍ରରୁ ହିଁ ଦେଶର ଏକ ଚତୁର୍ଥାଂଶ ଅର୍ଥାତ୍ ୩୯୭ ଟି ନୂଆ କେସ ଚିହ୍ନଟ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ଆହୁରି ବଢିବାରେ ଲାଗିଛି । କରୋନା ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ମଧ୍ୟ ମହାରାଷ୍ଟ୍ର ସଂକ୍ରମଣର ହବ୍ ପାଲଟିଥିଲା । ବର୍ତ୍ତମାନ ଏଠାରେ ସଂକ୍ରମଣ ବୃଦ୍ଧି ପାଇବାରୁ ଲୋକଙ୍କ ମନରେ ଛନକା ଦେଖାଦେଇଛି । ସେପଟେ ଉତ୍ତରପ୍ରଦେଶ ମଧ୍ୟ ସଂକ୍ରମଣ ମାମଲାରେ ବିଶେଷ ପଛରେ ନାହିଁ । ଏଠାକାର ଲଖିମପୁର ଖିରି ଅଞ୍ଚଳରେ ୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ସ୍କୁଲରୁ ହିଁ ୩୭ ଜଣ ଆକ୍ରାନ୍ତି ଚିହ୍ନଟ ହୋଇଛନ୍ତି । ତେବେ ସମ୍ପୂର୍ଣ୍ଣ ସୁବାରେ କରୋନାର ୬୨ଟି କେସ ସାମନାକୁ ଆସିଛି । ଏଠାରେ ମାତ୍ର ୨ ସପ୍ତାହ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରୁ ବୃଦ୍ଧି ପାଇଁ ୪୧୫ରେ ପହଞ୍ଚିଛି ।

ଅନ୍ୟ ପକ୍ଷରେ ରବିବାର ଦିନ କରୋନା ଯୋଗୁଁ ୪ଟି ମୃତ୍ୟୁ ମାମଲା ରେକର୍ଡ କରାଯାଇଛି । ଗୁଜୁରାଟ, ଚଣ୍ଡିଗଡ, ହିମାଚଳ ଏବଂ ଉତ୍ତରପ୍ରଦେଶରୁ ଜଣେ ଲେଖାଏଁ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି । ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବୃଦ୍ଧି ପାଇଛି । ତେବେ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।