ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ବ୍ୟାପୁଥିବା ବେଳେ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଅନ୍ୟ ଅସୁସ୍ଥତା ଥିବା ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ଏହି ସିଜନାଲ ଫ୍ଲୁରେ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଛି ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଦେଶରେ ସିଜନାଲ ଉନଫ୍ଲୁଏଞ୍ଜା ଓ ବାର୍ଡ ଫ୍ଲୁ ସ୍ଥିତିକୁ ନେଇ ତୀକ୍ଷ୍ଣ ନଜର ରଖାଯାଇଛି । ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ତେଣୁ ଭୟ କରିବାର କିଛି କାରଣ ନାହିଁ । ଏଚ୧ଏନ୧ କେସ୍ରେ କାର୍ଯ୍ୟରତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟୀକାକରଣ ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି ।
ଭାରତରେ କେତେକ ରାଜ୍ୟରେ ବାର୍ଡଫ୍ଲୁ ବ୍ୟାପିବା ନେଇ ରିପୋର୍ଟ ଆସିଥିଲା । ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ୨ ଜଣ ଡାକ୍ତର ଓ ୬ ଜଣ ସ୍ୱାସ୍ଥ୍ୟ କର୍ମଚାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ପ୍ରତିକାରମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏଠାରେ ୧୭୪୫ କୁକୁଡା, ୪୫୦ ବତକ ଓ ୧୬୯୭ ଅଣ୍ଡା ନଷ୍ଟ କରି ଦିଆଯାଇଛି । ସେହିପରି କେରଳର ଆଲପୁଝାର ଦୁଇଟି ୱାର୍ଡରେ ମଧ୍ୟ ବାର୍ଡଫ୍ଲୁ କେସ୍ ସାମ୍ନାକୁ ଆସିଛି । ଏହି ବାର୍ଡଫ୍ଲୁ ବା ଏଚ୍୫ଏନ୧ ଭାଇରସ୍ ପ୍ରଥମତଃ ପକ୍ଷୀଙ୍କୁ ସଂକ୍ରମିତ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ମଣିଷଙ୍କୁ ବ୍ୟାପିପାରେ । ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା କିମ୍ବା ସଂକ୍ରମିତ ପରିବେଶ ସଂପର୍କରେ ଆସିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁଯାୟୀ ଆମେରିକାର ବିଭିନ୍ନ ରାଜ୍ୟରେ ଗୋରୁ ଏବଂ କ୍ଷୀରରେ ଆଭିଆନ୍ ଇନ୍ଫ୍ଲୁଏଞ୍ଜା ଭାଇରସ ଚିହ୍ନଟ ହେବାର ରିପୋର୍ଟ ଆସିଛି । ଏହି ପରିପ୍ରେକ୍ଷୀରେ ପରିସ୍ଥିତର ସମୀକ୍ଷା ପାଇଁ ରବିବାର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ମହାରାଷ୍ଟ୍ର ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ପ୍ରାଥମିକ ରିପୋର୍ଟ ଅନୁଯାୟୀ ଯଦିଓ ଅନୁସନ୍ଧାନରେ ଅନ୍ତରାଳ ଥାଇପାରେ ୨୦୦୭ ମସିହାରୁ A(H5N1) ଭାଇରସ ଗୋଟିଏ ମଣିଷ ଠାରୁ ଅନ୍ୟ ମଣିଷକୁ ସଂକ୍ରମିତ ହେବାର କୌଣସି ରିପୋର୍ଟ ନାହିଁ । WHO ଏହାର ଏକ ରିପୋର୍ଟରେ କହିଛି ଯେ A(H5N1) ଭାଇରସ ଥିବା କ୍ଷୀରର ସେବନ କରିବା ଦ୍ୱାରା ମଣିଷ ଜୀବନ ପ୍ରତି ବିପଦକୁ ବୁଝିବା ପାଇଁ ଅନୁସନ୍ଧାନ ଜାରି ରହିଛି । ତେଣୁ କେବଳ ପାଶ୍ଚୁରାଇଜ୍ଡ କ୍ଷୀର ସେବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ଏକ ଆଡଭାଇଜରୀରେ ପ୍ରକାଶ କରିଛି ଯେ କ୍ଷୀର ସେବନ କରିବା ପୂର୍ବରୁ ଏହାକୁ ଫୁଟାଇ ବ୍ୟବହାର କରିବା ଅଭ୍ୟାସ ମଣିଷକୁ ଅନେକ ଭାଇରସ ସଂକ୍ରମଣକୁ ରୋକିବାରେ ସହାୟକ ହେବ ।
ଅନ୍ୟପକ୍ଷରେ ସିଜନାଲ୍ ଫ୍ଲୁ ସହିତ ଯୁଝୁଥିବା ବିଭିନ୍ନ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶନାମା ଅନୁଯାୟୀ ରୋଗୀଙ୍କ ବିଭାଗୀକରଣ, ଚିକିତ୍ସା ପ୍ରୋଟୋକଲ, ଭେଣ୍ଟିଲେଟୋରୀ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସିଜନାଲ୍ ଇନଫ୍ଲୁଏଞ୍ଜା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କଥା କୁହାଯାଇଥିବା ବେଳେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସପି) ଜାରି ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଏହି ସିଜନାଲ୍ ଇନଫ୍ଲୁଏଞ୍ଜା ବା ଏଚ୧ଏନ୧ ପ୍ରଥମେ ୨୦୦୯ରେ ଚିହ୍ନଟ କରାଯାଇଥିଲା । ପ୍ରତି ବର୍ଷ ଭାରତ ୨ ଥର ଏହି ସିଜନାଲ ଇନଫ୍ଲୁଏଞ୍ଜାର ଶିକାର ହୋଇଥାଏ । ଜାନୁୟାରୀରୁ ମାର୍ଚ୍ଚ ଓ ବର୍ଷା ପରବର୍ତ୍ତୀ ସମୟରେ ଏହି ସମୟରେ ଏହି ଫ୍ଲୁ ବ୍ୟାପିଥାଏ ।