fbpx

ନୂଆ ପାର୍ଟନରେ ହେବ ଯୁକ୍ତ ଦୁଇ ପରୀକ୍ଷା: ପ୍ରଶ୍ନପତ୍ରରେ ସଂକ୍ଷିପ୍ତ ମୂଳକ ପ୍ରଶ୍ନ ଉପରେ ଅଧିକ ଫୋକସ

ଭୁବନେଶ୍ୱର: ଏଥର ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦୁଇଟି ପର୍ଯ୍ୟାଯରେ ହେବ ୟୁକ୍ତ ଦୁଇ ପରୀକ୍ଷା । ଇଣ୍ଟରନାଲ ଓ ମୁଖ୍ୟ ପରୀକ୍ଷା ହେବ । ଏନେଇ ପ୍ରଶ୍ନପତ୍ର ଓ ପରୀକ୍ଷା ସୂଚୀର ରୂପରେଖ ରଖିଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ପ୍ରଶ୍ନପତ୍ରରେ ସଂକ୍ଷିପ୍ତ ମୂଳକ ପ୍ରଶ୍ନ ଉପରେ ଅଧିକ ଫୋକସ ରହିବ। ଚଳିତ ବର୍ଷ ୧୦୦ ମାର୍କ ପରୀକ୍ଷାକୁ ଦୁଇଟି ପର୍ୟ୍ୟାୟରେ ଦେବେ ଛାତ୍ରଛାତ୍ରୀ । ଏବେ ଫର୍ମଫିଲଅପ ଚାଲିଥିବାରୁ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି ।

ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପାର୍ଟନରେ ହେବ ବଡ଼ ପରିବର୍ତ୍ତନ। ଏଥର ୧୦ ମାର୍କ ବଦଳରେ ଆସିବ ୫ ମାର୍କ ଦୀର୍ଘଉତ୍ତରମୂଳକ ପ୍ରଶ୍ନ। ବିଜ୍ଞାନ ଭଳି ପରୀକ୍ଷାରେ ମଧ୍ୟ ସର୍ବାଧିକ ୫ ମାର୍କର ପ୍ରଶ୍ନ ପଡ଼ିବ । ଏହାସହ ୧ ମାର୍କ, ୨ ମାର୍କ ଓ ୩ ମାର୍କର ପ୍ରଶ୍ନ ଉପରେ ଅଧିକ ଗୁରୁତ୍ବ ଦିଆଯିବ । ଯାହା ଫଳରେ ପିଲାମାନେ ଅଧିକ ମାର୍କ ରଖିବାରେ ସକ୍ଷମ ହେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଏବେ ଶିକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଚଳିତ ବର୍ଷ ଇଣ୍ଟରନାଲ ଓ ମେନ ପରୀକ୍ଷା ଭାବେ ଦୁଇଟି ପର୍ୟ୍ୟାୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଇଣ୍ଟରନାଲରେ ୨୦ ମାର୍କ ଓ ଫାଇନାଲ ପରୀକ୍ଷାରେ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଇଣ୍ଟରନାଲ ଡ଼ିସେମ୍ବର ୨୬ ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଜାନୁଆରୀ ୨ ରୁ ୧୨ ଭିତରେ ପ୍ରାକ୍ଟିକାଲ । ସେହିପରି ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ଫାଇନାଲ ପରୀକ୍ଷା ହେବ । ପ୍ଲସ-ଟୁ ପରୀକ୍ଷାକୁ ନେଇ ଏପରି ଆନୁମାନିକ ତାରିଖ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ପ୍ରକାଶ ପାଇବ ।

ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନେଇଥିବା ଏହି ପଦକ୍ଷେପ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବେଶ ଗ୍ରହଣୀୟ ହୋଇଛି । ଏହି ବ୍ୟବସ୍ଥା ଓଡ଼ିଶାରେ ପାସ ହାର ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.