fbpx

ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଟିଏମସି ସାଂସଦଙ୍କ ଧମକ, ପଦରୁ ହଟିବା ମାତ୍ରେ ଜେଲରେ ଭର୍ତି କରିବୁ

କୋଲକାତା : ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ପୁଣି ଥରେ ମୁଣ୍ଡ ଟେକିଛି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟପାଳଙ୍କୁ ନେଇ ସୋମବାର କଟୁ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟପାଳଙ୍କ ବିରୋଧରେ କେସ ରୁଜୁ କରାଯାଉ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ରାଜ୍ୟପାଳ ପଦରୁ ହଟିବା ପରେ ଜଗଦୀପ ଧନଖଡଙ୍କୁ ଜେଲ ପଠାଇବାକୁ ମଧ୍ୟ ଧମକ ଦେଇଛନ୍ତି । କଲ୍ୟାଣ ବାନାର୍ଜୀ କହିଛନ୍ତି, ଧନଖଡଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ପାରିବ ନାହିଁ । ଆମେ ଲୋକଙ୍କୁ ଅପିଲ୍ କରୁଛୁ ଯେ, ଯେଉଁଠି ହିଂସାକୁ ପ୍ରୋତ୍ସାହନ ଦିଆଯାଉଛି ସେହି ଅଂଚଳର ଲୋକ ରାଜ୍ୟପାଳଙ୍କ ବିରୋଧରେ ଏଫଆଇଆର ଦିଅନ୍ତୁ ।

ତୃଣମୂଳ ସାଂସଦ ରାଜ୍ୟପାଳଙ୍କୁ ଜେଲ ପଠାଇବା ଧମକ ଦେଇ କହିଛନ୍ତି, ଥରୁଟିଏ ସେ ପଦରୁ ଅପସାରିତ ହେବା ପରେ ଲୋକଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କୁ ସେହି ପ୍ରେସିଡେନ୍ସି ଜେଲରେ ରଖାଯିବ, ଯେଉଁଠି ନାରଦ ସ୍କାମ ମାମଲାରେ ଟିଏମସି ବିଧାୟକଙ୍କୁ ରଖା ଯାଇଥିଲା । କରୋନା ଅବସ୍ଥା ସମ୍ଭାଳି ପାରୁନଥିବା କେନ୍ଦ୍ର ସରକାର ଲୋକଙ୍କୁ ମରିବାକୁ ଛାଡି ଦେଉଛନ୍ତି । ଭାରତର ଲୋକେ ଦ୍ୱିତୀୟ ସ୍ୱାଧୀନତାକୁ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି ।

ଟିଏମସି ସାଂସଦଙ୍କ ଏହି ଟିପ୍ପଣୀ ଉପରେ ରାଜ୍ୟପାଳ ଜଗଦୀପ ଧନଖଡ ଆଚମ୍ବିତ । ସେ କହିଛନ୍ତି, କଲ୍ୟାଣ ବାନାର୍ଜୀଙ୍କ ବୟାନ ଶୁଣି ମୁଁ ଚକିତ । ଉଲ୍ଲେଖନୀୟ ନାରଦ ଷ୍ଟିଙ୍ଗ ଅପରେସନ କେସ ମାମଲାର ତଦନ୍ତ ପାଇଁ ରାଜ୍ୟପାଳ ସିବିଆଇ ମଞ୍ଜୁରୀ ଦେଇଥିଲେ । ଏହା ପରେ ସିବିଆଇ ଟିଏମସିର ମନ୍ତ୍ରୀ, ବିଧାୟକ ସମେତ ୪ ନେତାଙ୍କୁ ଗିରଫ କରିଥିଲା । ଏହି ଘଟଣାକୁ ନେଇ ଟିଏମସି ରାଜ୍ୟପାଳଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

 

Get real time updates directly on you device, subscribe now.