fbpx

ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ: କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଭୁବନେଶ୍ବର ଠାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସୋଶଲ ସାଇନ୍ସେସ (କିସ) ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଗୌରବ ଦିବସରେ ୩୦ ହଜାରରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ରାଷ୍ଟ୍ର ନିର୍ମାଣରେ ଜନଜାତି ସମୁଦାୟର ଯୋଗଦାନ ବିଷୟରେ କହିଥିଲେ ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଘୱାଲ କହିଥିଲେ ଯେ, ଦେଶର ସ୍ବାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କର ଅମୂଲ୍ୟ ଯୋଗଦାନ ରହିଥିଲା। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଗତ ବର୍ଷ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କୃତଜ୍ଞତା ବ୍ୟକ୍ତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ମେଘୱାଲ କହିଥିଲେ ଯେ, ଜନଜାତି ସମାଜକୁ ଜାଗ୍ରତ କରାଇବାରେ ଭଗବାନ ବିର୍ସା ମୁଣ୍ଡାଙ୍କର ଯୋଗଦାନ ଅତୁଳନୀୟ। ସେ ସାହସିକ ପଦେକ୍ଷପ ଗ୍ରହଣ କରିଥିଲେ, ବ୍ରିଟିଶ ସରକାରଙ୍କ ବିରୋଧରେ ସାହସର ସହିତ ଲଢ଼େଇ କରିଥିଲେ ଏବଂ ଏହା ପ୍ରମାଣିତ କରିଥିଲେ ଯେ ଜନଜାତି ଲୋକମାନେ ଆମ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ। ଆମେ ତାଙ୍କ ଠାରୁ ଶିକ୍ଷା ଲାଭ କରି ଆମ ଜନଜାତି ସମୁଦାୟକୁ ସଶକ୍ତ କରିବା ଉଚିତ୍‌ । ଏହାଦ୍ବାରା ଆମ ଦେଶ ମଧ୍ୟ ସଶକ୍ତ ଓ ସୁଦୃଢ଼ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ମେଘୱାଲ କହିଥିଲେ ଯେ ପ୍ରକୃତି ମା’ ସହିତ ଆଦିବାସୀ ଲୋକମାନଙ୍କର ଜୀବନଶୈଳୀ ପ୍ରତ୍ୟକ୍ଷ ଭାବେ ଜଡ଼ିତ । ଆରମ୍ଭରୁ ପ୍ରକୃତି ସହ ଯୋଡ଼ି ହୋଇ ଜୀବନ ନିର୍ବାହ କରିବା ଲାଗି ଜନଜାତି ସମୁଦାୟର ଲୋକମାନେ ଶିକ୍ଷା ଦେଇଛନ୍ତି ଏବଂ ଏହା ଏବେ ଏକ ବୈଶ୍ବିକ ମନ୍ତ୍ରରେ ପରିଣତ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଲାଇଫ’ର ଶୁଭାରମ୍ଭ କରିଛନ୍ତି, ପରିବେଶ ଅବକ୍ଷୟ ସହ ଲଢ଼ିବା ଏହାର ମୂଳ ଲକ୍ଷ୍ୟ।

ସେ କହିଥିଲେ ଯେ, ସ୍ୱାଧୀନତାର ଅମୃତ ମହୋତ୍ସବର ଅଂଶବିଶେଷ ସ୍ବରୂପ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି । ଦେଶର ଅପରିଚିତ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାର ପରିକଳ୍ପନା କରିଥିଲେ ଯାହାକି ଏବେ ଆଜାଦୀ କା ଅମୃତକାଳରେ ପ୍ରବେଶ କରିଛି । ଆମ ସ୍ବାଧୀନତା ସଂଗ୍ରାମର ପ୍ରକୃତ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ମେଘୱାଲ କହିଥିଲେ।

ଏହି ସମାରୋହରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ଉମା ନନ୍ଦୁରୀ ଉପସ୍ଥିତ ଥିଲେ । ଏକ ସର୍ବଭାରତୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରିବା ଲାଗି ଶ୍ରୀମତୀ ନନ୍ଦୁରୀ କିସ୍‌ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ।

 

Get real time updates directly on you device, subscribe now.