fbpx

କୃଷି ବୈଜ୍ଞାନକ କହିଲେ କାହିଁକି ବଢିଲା ଟମାଟୋ ଦର, ଜାଣି ନିଅନ୍ତୁ ଶସ୍ତା ହେବ କେବେ

ନୂଆଦିଲ୍ଲୀ:ପନିପରିବା ମଧ୍ୟରେ ଟମାଟୋ ସମସ୍ତଙ୍କର ଭାରି ପସନ୍ଦ । ଏହା ବିନା ତରକାରୀ ହେବା ଯେମିତି ଅସମ୍ଭବ ମନେ ହୁଏ । କିନ୍ତୁ ଏହି ଟମାଟୋ ଏବେ ସାଧାରଣ ଗ୍ରାହକଙ୍କ ପକେଟରେ ଏକ ଭାରି ବୋଝ ପକାଉଛି । ଏହାର ମୂଲ୍ୟ ମେ ମାସର ପ୍ରଥମ ସପ୍ତାହରେ କେଜି ପିଛା ମାତ୍ର ୧୫ ରୁ ଜୁନ୍ ଶେଷ ସୁଦ୍ଧା ୧୧୦ ଟଙ୍କାକୁ ବୃଦ୍ଧି ପାଇଛି। କିଛି ସପ୍ତାହ ମଧ୍ୟରେ ଟମାଟୋ ମୂଲ୍ୟରେ ଆଶ୍ଚର୍ୟ୍ୟଜନକ ଭାବରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ଭାରତୀୟଙ୍କ ରୋଷେଇ ଘରେ ଟମାଟୋ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଏହା ବିନା ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ, ତେବେ ଟମାଟୋ କାହିଁକି ମହଙ୍ଗା ହୋଇଛି ସେ ବିଷୟରେ କୃଷି ଗବେଷକ ତଥା ବିଶେଷଜ୍ଞଙ୍କ ମାନଙ୍କ ହ କଣ ମତ ରହିଛି ଆସନ୍ତୁ ଜାଣିବା ।

ଟମାଟୋ ଦର ବୃଦ୍ଧିରେ ୨ ଟି ପ୍ରମୁଖ କାରଣ ରହିଛି । ଚେନ୍ନାଇର ଏମ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ପ୍ରମୁଖ ବୈଜ୍ଞାନିକ ଡା. ଆର୍ ଗୋପୀନାଥନ ଏହାର କାରଣ କହିଛନ୍ତି । ପ୍ରଥମ କାରଣ ହେଉଛି ବିଳମ୍ବରେ ମୌସୁମୀ ଆସିବା ଓ ଦ୍ୱିତୀୟଟି ହେଉଛି ଫସଲ ଅମଳ ସମୟରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଅସମୟରେ ବର୍ଷା ହେବା । ୨୦ ପ୍ରତିଶତ ଟମାଟୋ ଉତ୍ପାଦନ ଆନ୍ଧ୍ରପ୍ରଦେଶରୁ ହୋଇଥାଏ । ବାକି କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରୁ ଆସିଥାଏ । ଗୋପୀନାଥନ କହିଛନ୍ତି ଯଦି ଦକ୍ଷିଣ ପଶ୍ଚିମ ମୌସୁମୀ ବିଳମ୍ବରେ ଆସିବ ତେବେ ପନିପରିବା ଉତ୍ପାଦନ ପ୍ରମୁଖ ଭାବରେ ପ୍ରଭାବିତ ହୋଇଥାଏ । ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ପନିପରିବା ଦର ଏପରି ଉଚ୍ଚା ରହିବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି ।

ସେ କହିଛନ୍ତି ଗତ ବର୍ଷ ମଧ୍ୟ ଏହି ଘଟଣା ଘଟିଥିଲା । ଜୁଲାଇ ଓ ଅଗଷ୍ଟରେ ବର୍ଷାରେ ଆହୁରି ବିଳମ୍ବ ଦେଖାଦେଲେ ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ଏହି ଦର ଆହୁରି ବଢିଯାଏ । ଟମାଟୋ ସହିତ ପିଆଜ ଦର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ସବୁଠାରୁ ଅଧିକ ପନିପରିବା ଅମଳ ହୋଇଥାଏ । କର୍ଣ୍ଣାଟକରେ ମୌସୁମୀ ଜୁନ୍ ପ୍ରଥମ ସପ୍ତାହରେ ଆସିଯାଇଥାଏ । ବାଙ୍ଗାଲୋରର କୃଷି–ମୌସୁମୀ ବିଜ୍ଞାନ ପ୍ରଫେସର ଏମବି ରାଜେ ଗୌଡା କହିଛନ୍ତି କର୍ଣ୍ଣାଟକରେ ୨୫ ପ୍ରତିଶତ ବୁଣାବୁଣି କାର୍ଯ୍ୟ ଜୁଲାଇ ପ୍ରଥମ ସପ୍ତାହରେ ହୋଇଥାଏ । ଜୁଲାଇ ମଧ୍ୟ ଓ ଶେଷ ଭାଗ ସୁଦ୍ଧା ଏଠାରେ ୭୫ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ସରି ଯାଇଥାଏ ।
ଏମବି ରାଜେ ଗୌଡା କହିଛନ୍ତି କର୍ଣ୍ଣାଟକର କିଛି ଭାଗ ଯେପରିକି ପାହାଡି ଓ ତଟୀୟ କ୍ଷେତ୍ରରେ ବର୍ଷାର ପରିମାଣ ୪୦ରୁ ୫୦ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ରାଜ୍ୟର ଦକ୍ଷିଣ ଓ ଉତ୍ତର ଭାଗର ମଧ୍ୟବର୍ତ୍ତୀ ଇଲାକାରେ ଠିକ୍ ବର୍ଷା ହୋଇଛି ଯାହା ଜୁନ଼୍୍ ରେ ହୋଇଥାଏ । ଯଦି ଜୁଲାଇର ତୃତୀୟ ସପ୍ତାହ ସୁଦ୍ଧା ଠିକ୍ ବର୍ଷା ହୋଇ ନ ଥାଏ ତେବେ ପନିପରିବା ଫସଲ ବାଧାପ୍ରାପ୍ତ ହୋଇଥାଏ ବୋଲି ଗୋପୀନାଥନ କହିଛନ୍ତି । ଏପରି ସ୍ଥିତିରେ କ୍ଲାଉଡ୍ ସିଡିଂ କିମ୍ବା ଅନ୍ୟ ବିକଳ୍ପର ଉପଯୋଗ କରାଯିବା ଉଚିତ । ଚଳିତ ବର୍ଷ ଭାରତରେ ୯୦ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବୈଜ୍ଞାନିକମାନେ କହିଛନ୍ତି ।

ଚଳିତ ବର୍ଷ କର୍ଣ୍ଣାଟକର କୋଲାର, ଚିକାବଲାପୁରା, ବାଙ୍ଗାଲୁର ଗ୍ରାମୀଣ ପରି ଅଞ୍ଚଳରୁ ଆଶାଜନକ ଭାବରେ ଟମାଟୋ ଆସିପାରିନାହିଁ । କୋଲାରରେ ଧଳା ମାଛି ରୋଗ କାରଣରୁ ବହୁ ମାତ୍ରାରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାର କୃଷି ଉତ୍ପାଦ ବଜାର ସମିତି( ଯାହା ଏସିଆର ସବୁଠାରୁ ବଡ ଟମାଟୋ ବଜାର ) ସେଠାରେ ୧୫ କିଲୋଗ୍ରାମ ଟମାଟୋ ପେଟିର ଦର ୭୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.