ଓଡ଼ିଶା ଭାସ୍କର: ଶୀତ ଦିନ ଆସିଲେ ତ୍ୱଚାର ଶୁଷ୍କତା ବୃଦ୍ଧି ପାଇଥାଏ । ଫଳରେ ଓଠ ଫାଟିବା, ତ୍ୱଚାରେ ଭାଙ୍ଗ ପଡ଼ିବା, ଗୋଇଠି ଫାଟିବା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ । ତ୍ୱଚାକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ମଇଶ୍ଚରାଇଜର କିମ୍ବା କୋଲ୍ଡ କ୍ରିମ୍ ବ୍ୟବହାର କରିଥାନ୍ତି । ଏହା ତ୍ୱଚାର କୋମଳତା ବଜାୟ ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି କିମ୍ବା ଫଳ ରସ ଇତ୍ୟାଦି ପିଇବା ମଧ୍ୟ ଜରୁରୀ । ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ ।
ଫେସ୍ ମସାଜ୍ ମଧ୍ୟ ତ୍ୱଚାକୁ ଟୋନ୍ କରିବା ସହ ଚମକ ବୃଦ୍ଧି କରିବାର ଏକ ଉତ୍ତମ ଉପାୟ । ଏହା ଦ୍ୱାରା ଚାପ ହ୍ରାସ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ଭଳି ମସାଜ କରିପାରିବ ।
୧. ତେଲ ମସାଜ୍: ସମସ୍ତଙ୍କ ତ୍ୱଚାର ପ୍ରକାର ଭିନ୍ନ । ତେଣୁ ମସାଜ୍ କରିବା ପୂର୍ବରୁ ଉପଯୁକ୍ତ ତେଲର ଚୟନ କରିବା ଜରୁରୀ ଅଟେ । ଆପଣ ନଡ଼ିଆ ତେଲ, ଅଲିଭ୍, ତେଲ, ବାଦାମ ତେଲ, ଜୋଜୋବା ତେଲ ଆଦି ବ୍ୟବହାର କରିପାରିବେ । ହାତରେ ଅଳ୍ପ ତେଲ ନେଇ ଚେହେରାରେ ଗୋଲାକାର ଭାବେ ଏବଂ ଆଖି ଚାରି ପାଖ ହାଲୁକା ହାତରେ ୧୦ରୁ ୧୫ ମିନିଟ୍ ମାଲିସ କରନ୍ତୁ ।
୨. ବରଫ ମସାଜ୍: ଏକ ବରଫ ଟୁକୁଡ଼ା(ଆଇସ୍ କ୍ୟୁବ୍) କିଛି ସମୟ ପର୍ଯ୍ୟନ୍ତ ଚୋବାନ୍ତୁ । ଏହା ପରେ ହାଲୁକା ହାତରେ ଚେହେରାକୁ ଗୋଲାକାର(ତଳୁ ଉପରୁ) ମାଲିସ କରନ୍ତୁ । ଏହା ଦ୍ୱାରା ଫୁଲା କମିବା ସହ ରକ୍ତ ସଂଚାଳନ ବୃଦ୍ଧି ହୋଇଥାଏ । ଏହା ତ୍ୱଚାକୁ ଟୋନ୍ କରିବା ସହ ଉଜ୍ଜ୍ୱଳତା ବଜାୟ ରଖିଥାଏ ।
୩. ରୋଲର ମସାଜ୍: ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଫେସ୍ ରୋଲର ଉପଲବ୍ଧ । ଏହା ବ୍ୟବହାର କରୁଥିଲେ ଚେହେରାର ତଳୁ ଉପରକୁ ମସାଜ୍ କରନ୍ତୁ । ଏହା ଲିମ୍ଫାଟିକ୍ ଡ୍ରେନେଜକୁ ପ୍ରୋତ୍ସାହିତ କରିଥାଏ ଏବଂ ତ୍ୱଚାର ଚମକ ବୃଦ୍ଧି କରିଥାଏ ।
୪. ହାତ ମସାଜ୍: ଆପଣ ନିଜ ଆଙ୍ଗୁଳି ସାହାଯ୍ୟରେ ମଧ୍ୟ ଫେସ୍ ମସାଜ୍ ଲାଭଦାୟକ ହୋଇଥାଏ । ମଥାରୁ ଆରମ୍ଭ କରି ଗାଲ, ନାକ ଏବଂ ଥୋଡିକୁ କିଛି ସମୟ ଆଙ୍ଗୁଳିରେ ହାଲୁକା ଭାବେ ଟ୍ୟାପ୍ କରନ୍ତୁ । ଏହା ଚିନ୍ତା ଦୂର କରିଥାଏ ଏବଂ ଆପଣ ରିଲାକ୍ସ ଅନୁଭବ କରିଥାନ୍ତି । ଏହା ବ୍ୟତୀତ କିଛି ଫେସିଆଲ ବ୍ୟାୟାମ ମଧ୍ୟ ଆପଣାଇପାରିବେ ।